ପାଣି ବୋତଲରେ ଟଙ୍କାଟେ ଜିଏସଟି ନେବା ରେଷ୍ଟୁରାଣ୍ଟକୁ ପଡ଼ିଲା ଭାରି, ଗଣିବେ ୮ ହଜାର ଫାଇନ

ନନ୍ଦିଘୋଷ ବ୍ୟୁରୋ: ପାଣି ବୋତଲ ଉପରେ ଜିଏସଟି ନେବା ରେଷ୍ଟୁରାଣ୍ଟକୁ ପଡ଼ିଲା ଭାରି । ଜିଏସଟି ବାବଦକୁ ନେଲେ ଟଙ୍କା ଟେ । ହେଲେ ଫାଇନ୍ ଗଣିଲେ ୮ ହଜାର । ଏମିତି ଏକ ଖବର ଆସିଛି ଭୋପାଲରୁ । ଉପଭୋକ୍ତା ଫୋରମ ଏକ ମାମଲାର ବିଚାର କରି ଜଣେ ଗ୍ରାହକଙ୍କ ପାଖରୁ ପାଣି ବୋତଲ ଉପରେ ଏକ ଟଙ୍କା ଜିଏସଟି ନେବା ଅଭିଯୋଗରେ ଏକ ରେଷ୍ଟୁରାଣ୍ଟ ଉପରେ ୮୦୦୦ ଟଙ୍କା ଜରିମାନା ଲଗାଇଛନ୍ତି ।
ଘଟଣା ୨୦୨୧ ଅକ୍ଟୋବର ମାସର । ଭୋପାଳର ଏକ ରେଷ୍ଟୁରାଣ୍ଟରେ ଐଶ୍ବର୍ଯ୍ୟା ନାମକ ଜଣେ ଯୁବତୀ ନିଜ ସାଙ୍ଗଙ୍କ ସହ ଖାଇବାକୁ ଯାଇଥିଲେ । ଖାଇବା ପରେ ଯେତେବେଳେ ବିଲ୍ ଦେବାକୁ ଯାଇଥିଲେ, ଦେଖିଲେ ସେଥିରେ ପାଣି ବୋତଲ ଉପରେ ଜିଏସଟି ପଡ଼ିଥିଲା । ପାଣି ବୋତଲର ଦାମ ୨୦ ଟଙ୍କା ଥିବା ବେଳେ ୨୯ ଟଙ୍କା ବିଲରେ ପଡ଼ିଥିଲା । ଏହି ୨୯ ଟଙ୍କା ମଧ୍ୟରେ ଏକ ଟଙ୍କା ଜିଏସଟି ଥିଲା । ସେ ଏନେଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଅଭିଯୋଗ କରିବା ପରେ ଉତ୍ତର ମିଳିଥିଲା ସବୁ କିଛି ନିୟମ ଅନୁସାରେ ନିଆଯାଇଛି । ତେଣୁ ଏଥିରେ କିଛି କଟାଯିବ ନାହିଁ । ଏନେଇ ଐଶ୍ବର୍ଯ୍ୟା ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ । ଯାହାର ରାୟ ୪ ବର୍ଷ ପରେ ଆସିଛି । ଐଶ୍ବର୍ଯ୍ୟାଙ୍କ ଓକିଲ ପ୍ରତୀକ ପାଓ୍ବର କହିଛନ୍ତି, ତାଙ୍କ ପକ୍ଷ ପାଖରୁ ପାଣି ବୋତଲ ଉପରେ ୨୯ ଟଙ୍କା ନିଆଯାଇଥିଲା । ଯାହା ଉପରେ ଅଭିଯୋଗ ହୋଇଥିଲା । ଏଥିରେ ଏକ ଟଙ୍କା ଜିଏସଟି ଥିଲା ।
ରେଷ୍ଟୁରାଣ୍ଟର ଓକିଲ କହିଥିଲେ, ନିୟମ ଅନୁସାରେ ରେଷ୍ଟୁରାଣ୍ଟରେ ବସିବା, ଏସି ଓ ଅନ ଟେବୁଲ ସର୍ଭିସ ଭଳି ସୁବିଧା ପାଇଁ ଏମଆରପିରୁ ଅଧିକ ଚାର୍ଜ ନେବାର ଅଧିକାର ରହିଛି । ହେଲେ ଉପଭୋକ୍ତା ଫୋରମ୍ ନିଜ ରାୟରେ କହିଥିଲେ, ପାଣି ବୋତଲର ଏମଆରପିରେ ପୂର୍ବରୁ ଜିଏସଟି ରହିଥାଏ । ତେଣୁ ପୁଣି ଜିଏସଟି ନେବା ବେଆଇନ ।
ଉପଭୋକ୍ତା ଫୋରମ ନିଜ ରାୟରେ ଜିଏସଟି ବାବଦକୁ ନିଆଯାଇଥିବା ଏକ ଟଙ୍କା ଗ୍ରାହକଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଗ୍ରାହକ ଯେଉଁ ମାନସିକ କଷ୍ଟ ପାଇଲେ ସେ ବାବଦକୁ ତାଙ୍କୁ ୫୦୦୦ ଟଙ୍କା ଏବଂ ମାମଲାର ଆଇନଗତ ପରିଚାଳନା ବାବଦକୁ ୩୦୦୦ ଟଙ୍କା ରେଷ୍ଟୁରାଣ୍ଟକୁ ଦେବାକୁ ପଡ଼ିବ । ଏହି ପ୍ରକାରେ ମାତ୍ର ଏକ ଟଙ୍କା ଜିଏସଟି ପାଇଁ ରେଷ୍ଟୁରାଣ୍ଟକୁ ୮ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି ।