ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା

ନନ୍ଦିଘୋଷ ବ୍ୟୁରୋ: ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା। ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ଫସି ଯାଇଛନ୍ତି ଲବ । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କରିଛନ୍ତି ପ୍ରେମିକାଙ୍କ ପରିବାର । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ’ ଆଉଟ ଥାନାରେ ଏତଲା ହୋଇଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ବି ଲବ ହାଂସଦାଙ୍କୁ ପାଇନି ପୋଲିସ। ଦେଶ ବିଦେଶ ବୁଲି ଟ୍ରାଭେଲ ଭିଡିଓ କରି ଖୁବ୍ କମ୍ ଦିନରେ ଲବ ସାଉଁଟିଛନ୍ତି ଅନେକ ପ୍ରଶଂସା । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ଏବେ ବିବାଦକୁ ଆସିଛନ୍ତି । ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି ଲବ ହାଁସଦା । ପ୍ରେମିକା ସୋଲୋମୀ ମୁର୍ମୁଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର ।
ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ । କିଛିବର୍ଷ ତଳେ ଲବ ହାଁସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବନ୍ଧୁତାରୁ ପରସ୍ପରକୁ ଭଲ ପାଇଥିଲେ । ଓଡ଼ିଶାଠାରୁ ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିଥିଲେ । ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ସରିଥିଲା। କିନ୍ତୁ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମୀ ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ଏହାପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୋଲାମୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିଲେ ।
ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ । ତେବେ ସୋଲୋମୀଙ୍କ ମୃତ୍ୟୁକୁ ୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି।