ଆହୁରି ୫ ଦିନ କାଳବୈଶାଖୀ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷିବ କୁଆପଥର

ଭୁବନେଶ୍ବର: ଆଶ୍ବସ୍ତି ଆଣିବ କାଳବୈଶାଖୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିରେ ଲାଗିବ ବ୍ରେକ୍ । ଟ୍ରପ ଲାଇନ ପ୍ରଭାବରେ ଆହୁରି ୫ ଦିନ ଜାରି ରହିବ କାଳବୈଶାଖୀ ବର୍ଷା । ଏହାର ପ୍ରଭାବରେ ଆସନ୍ତା ୫ ରୁ ୭ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଝଟକା ପବନ ବହିବାର ସମ୍ଭାବନା ରହିଛି । କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି
ଖୋର୍ଦ୍ଧା, କଟକ, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରପଡା ଆଦି ସ୍ଥାନରେ ବର୍ଷା ଯୋଗୁଁ ଆସନ୍ତାକାଲି ଠାରୁ ତାପମାତ୍ରା କମିବା ସହ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ । ତେବେ ଆଜି ଓ ଆସନ୍ତାକାଲି କଟକ, ଜଗସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ଗରମ ସହ ଗୁଳିଗୁଳି ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ କୋଟପାଡ଼ରେ ସର୍ବାଧିକ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ୪୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।