ଚାକରି ଦେବାକୁ କହି ୬୦ ଲକ୍ଷରୁ ଅଧିକ ଟଙ୍କା ଠକେଇ
1 min read
ଭୁବନେଶ୍ବର: ୫ ଲକ୍ଷ ଦେଲେ ବ୍ୟାଙ୍କ ଚାକିରି । ୧୦ ଲକ୍ଷ ଦେଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ୍ ଚାକିରୀ । ଫସାଉଥିଲା ଆଉ ଆଶାୟୀଙ୍କୁ କଳାକନା ବୁଲାଉଥିଲା କଂସଲଟାନ୍ସି ମାଲିକ । ଏ ହେଉଛି ଶୋଭନଙ୍କ ଅଶୋଭନୀୟ କାମ । ଯାହାକୁ ନେଇ ରାଜଧାନୀରେ ଚର୍ଚ୍ଚା । କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ଖୋଲିଥିଲା ବ୍ରାଞ୍ଚ ଅଫିସ । ବିନା ଯୋଗ୍ୟତାରେ ଟଙ୍କା ଦେଇ ଆପଣ ସହଜରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ସାବଧାନ ! କାରଣ କନସଲଟାନ୍ସି ନାଁରେ ଅଫିସ ଖଣ୍ଡେ ଖୋଲି ରାଜଧାନୀରେ ମାତିଛନ୍ତି ଦଲାଲ । ଠିକ ଏଭଳି ଢଙ୍ଗରେ ୫ ଜଣଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକିନେଇଥିବା ଶୋଭନ ରଞ୍ଜନ ବେହେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଶୋଭନଙ୍କ ଘର ଏୟାରଫିଲଡ଼ ଥାନା ଅନ୍ତର୍ଗତ ଓରକଳ । ଆଇଆରସି ଭିଲେଜରେ ସଂଯୋଗ କଂସଲଟାନ୍ସି ନାମରେ ଏକ ଅଫିସ ଖୋଲି ଗତ କିଛିବର୍ଷ ହେଲା ଚାକିରୀ ନାଁ ରେ ଆଶାୟୀ ଓ ତାଙ୍କ ପରିବାର ଲୋକଙ୍କୁ ଠକି ଆସୁଥିଲା । କମ୍ପିଟେଟିଭ ପରୀକ୍ଷା ଦେଉଥିବା ବୌଦ୍ଧ ଜିଲ୍ଲାର ଦେବବ୍ରତ କର୍ଣ୍ଣଙ୍କୁ ଷ୍ଟେଟ ବ୍ୟାଙ୍କରେ ଚାକିରୀ ଦେବାକୁ କହି ୬ ଲକ୍ଷ ନେଇଯିବା ପରେ ଅଭିଯୋଗ ଆସିଥିଲା ଥାନାକୁ । କେବଳ ଦେବଦ୍ରତ ନୁହେଁ, ସମୁଦାୟ ୫ ଜଣ ୬୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ପରେ ବିଏନଏସ୍ ୧୨୩ ଧାରାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି MCA ପାଠ ପଢିଥିବା ଶୋଭନ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ମଧ୍ୟ ଖୋଲିଥିଲା ଅଫିସ ।
କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ହୋଟେଲରେ ମଧ୍ୟ ସମାନ ଢଙ୍ଗରେ ଚାଲିଥିଲା ଡିଲ । ମୁମ୍ୱାଇରୁ ଆସି ନିରୀହ ଓଡ଼ିଆଙ୍କୁ ଲୁଟିବାକୁ ଚାଲିଥିଲା ପ୍ଲାନ । ଇସ୍ରାଏଲରେ ଚାକିରୀ ଦେବାକୁ କହି ଆଶାୟୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଥିବା ବେଳେ ମାଡିବସିଥିଲା ଖାରବେଳନଗର ଥାନା ପୋଲିସ । ଜବତ ହୋଇଥିଲା ପୁଳାପୁଳା ରିଜ୍ୟୁମ, ଭିସା, ପାସପୋର୍ଟ ଓ ମୋବାଇଲ । ଗିରଫ ହୋଇଥିଲେ ୩ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା କେସରେ ଶୋଭନଙ୍କ ଦ୍ୱାରା ଯଦି ଆଉ କେହି ଠକେଇର ଶିକାର ହୋଇଥାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାର ଦ୍ୱାରସ୍ଥ ହେବାକୁ ନିବେଦନ କରିଛନ୍ତି ଡିସିପି । ଅନଲାଇନରେ ହେଉ ବା ଖବରକାଗଜ ନିତିଦିନ ଚାକିରୀ ପାଇଁ ବିଜ୍ଞାପନ ପ୍ରକାଶ ପାଉଛି। ଟଙ୍କା ଦେବା ପୂର୍ବରୁ ଏହାର ସତ୍ୟତା ଓ କମ୍ପାନୀର ସ୍ଥାୟୀତ୍ୱ ଯାଞ୍ଚ କରିବାର ଆବଶ୍ୟକତା ଥିବା କହିଛନ୍ତି ଡିସିପି ।