ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା

ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତର ପ୍ରତିରକ୍ଷା ବଳ। ଅପରେସନ ସିନ୍ଦୂର ପରେ ଭାରତର ପ୍ରତିରକ୍ଷା ଶକ୍ତିକୁ ଅଧିକ ବଢାଇବା ଲାଗି ସରକାର ନେଇପାରନ୍ତି ବଡ଼ ପଦକ୍ଷେପ। ପ୍ରତିରକ୍ଷା ବଜେଟ ପରିମାଣ ବଢାଇବା ଲାଗି ଯୋଜନା ହୋଇଥିବା ସୂଚନା ମିଳିଛି। ଅତିରିକ୍ତ ବଜେଟର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ପ୍ରତିରକ୍ଷା ଲାଗି ଅଧିକ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇପାରେ ବୋଲି କୁହାଯାଇଛି।
ଆସନ୍ତା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟକୁ ମଞ୍ଜୁର କରାଯାଇପାରେ। ସେନାବାହିନୀର ଆବଶ୍ଯକତା ପୂରଣ କରିବା ଲାଗି ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି। ଗତ ୧୦ ବର୍ଷ ମଧ୍ଯରେ ଭାରତର ପ୍ରତିରକ୍ଷା ବ୍ୟୟଭାର ପ୍ରାୟ ୩ ଗୁଣ ହୋଇଛି। ୨୦୧୪-୧୫ରେ ପ୍ରତିରକ୍ଷା ବଜେଟ ପରିମାଣ ୨.୨୯ ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ପ୍ରତିରକ୍ଷା ବଜେଟ ପରିମାଣ ଥିଲା ୬.୮୧ ଲକ୍ଷ କୋଟି ଟଙ୍କା। ଯାହାକି ମୋଟ ବଜେଟର ୧୩.୪୫ ପ୍ରତିଶତ। ଅପରେସନ ସିନ୍ଦୂର ବେଳେ ଭାରତର ଶୌର୍ଯ୍ୟ ନିକଟରେ ପରାହତ ହୋଇଥିଲା ପାକିସ୍ତାନ। ଭାରତର ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ପାକିସ୍ତାନ। ସେପଟେ ପାକିସ୍ତାନର ମୁଖା ଖୋଲିବା ଲାଗି ବିଭିନ୍ନ ରାଷ୍ଟ୍ରକୁ ଏକ ବହୁଦଳୀୟ ପ୍ରତିନିଧି ମଣ୍ଡଳୀ ପଠାଯାଇପାରେ ବୋଲି ସୂଚନା ମିଳିଛି।