ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ, ଜଳକଷ୍ଟ ଭୋଗୁଛନ୍ତି ଆସିକା ଗ୍ରାମବାସୀ

ଗଞ୍ଜାମ: ପାଣି ମୁନ୍ଦାଏ ପାଇଁ ଛଟପଟ ଜୀବନ । ଗଞ୍ଜାମ ଆସିକା ବ୍ଲକ କୈବଲ୍ୟପୁର ଗାଁରେ ଉତ୍କଟ ଜଳ ସଂକଟ । ଗାଁର କୂଅ ପୋଖରୀ ସବୁ ଶୁଖିଲା। ଠିକାଦାର ଓ ପ୍ରଶାସନ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଲୋକଙ୍କ କଷ୍ଟ ସରକାରଙ୍କ ଆଖିକୁ ଦେଖାଯାଉନି ବୋଲି ଅଭିଯୋଗ ହୋଇଛି। ଗାଁର କୂଅ ପୋଖରୀ ସବୁ ଶୁଖିଲା। ସ୍ଥିତି ଏମିତି ଗାଁ ଲୋକେ ଗାଧୋଇବାକୁ ଦୁଇ କିଲୋମିଟର ଗଲା ପରେ ପୋଖରୀର ପଙ୍କ ମିଶା ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ।
ଗାଁର ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଓଭର ହେଡ୍ ପାଣି ଟାଙ୍କୀ । ଲୋକଙ୍କ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ବି ରହିଛି । ହେଲେ ପାଣି ଆସୁନି। ଗ୍ରାମବାସୀ ରାଜନେତା ଓ ସରକାରୀ ବାବୁଙ୍କୁ ବାରମ୍ବାର ଗୁହାରୀ କଲେ ବି କେହି କିଛି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ଗାଁରେ ୩ଟି ନଳ କୂଅ। ସେଥିରୁ ଗୋଟିଏ ଅଚଳ ଅନ୍ୟ ଦୁଇଟିରୁ ଗୋଳିଆ ଲୁହା ଜଙ୍କ ମିଶା ପାଣି ବାହାରୁଛି । ଡହଳବିକଳ ହୋଇ ଲୋକେ ସେହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ମାସ ମାସ ଧରି କିଛି ଲୋକେ ଭଲରେ ଶୌଚ ହୋଇପାରୁନାହାନ୍ତି। ପାଣି ଆସୁଥିବା ନଳକୂଳ ପାଖେ ଘଣ୍ଟାଘଣ୍ଟା ଧରି ମୁନ୍ଦାଏ ପାଣି ପାଇଁ ଅପେକ୍ଷା କରୁଛନ୍ତି । ବ୍ଳକ ପକ୍ଷରୁ ଦୁଇ ତିନି ଦିନରେ ଥରେ ଗୋଟିଏ ଟ୍ୟାଙ୍କରେ ପାଣି ଯୋଗାଇ ଦିଆ ଯାଉଛି ସତ ହେଲେ ତାହା ସମସ୍ତଙ୍କ ପାଇଁ ଯଥେଷ୍ଟ ହେଉନି ।