ସୁବର୍ଣ୍ଣପୁରରେ ବାଟବଣା ସ୍ବାସ୍ଥ୍ୟସେବା, ସରକାରୀ ମେଡିକାଲରେ ମିଳୁନି ଔଷଧ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବାଟବଣା ସ୍ବାସ୍ଥ୍ୟସେବା। ସରକାରୀ ମେଡିକାଲରେ ମିଳୁନି ଔଷଧ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁନି ଔଷଧ। ୫ ମାସ ହେଲାଣି ବନ୍ଦ ହୋଇପଡ଼ିଛି ମେଡିସିନ କାଉଣ୍ଟର । ଔଷଧ ନ ପାଇ ଲୋକେ ହନ୍ତସନ୍ତ । ଡୁଙ୍ଗୁରିପାଲି ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଆଖପାଖ ୨ଶହ ଗାଁରୁ ଲୋକେ ଚିକିତ୍ସାସେବା ପାଇଁ ଆସିଥାନ୍ତି । ସ୍ବାସ୍ଥ୍ୟ ବିଭାଗର ନିୟମ ରହିଛି । ସରକାରୀ ମେଡିକାଲରୁ ରୋଗୀ ମାଗଣାରେ ନିଦାନ କାଉଣ୍ଟରରୁ ଔଷଧ ପାଇବ । କୌଣସି ବି ସ୍ଥିତିରେ ଡାକ୍ତର ବାହାରୁ ଔଷଧ କିଣିବା ପାଇଁ ଲେଖିପାରିବେ ନାହିଁ । କିନ୍ତୁ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପ୍ରେସକ୍ରିପସନ ଧରି ଔଷଧ କାଉଣ୍ଟର ଆଗରେ ଘଣ୍ଟାଘଣ୍ଟା ଧରି ଧାଡ଼ି ବାନ୍ଧି ଠିଆହେବା ଦେଖିବାକୁ ମିଳୁଛି । ମେଡିସିନ୍ କାଉଣ୍ଟରରେ ଔଷଧ ନ ମଳିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ ।

ଏ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଫାର୍ମାସିଷ୍ଟ ଅଭାବରୁ ମେଡିସିନ କାଉଣ୍ଟର ବନ୍ଦ ରହିଛି । ଗୋଟିଏ ପଟେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ସୁଦୃଢ଼ ଓ କର୍ମଚାରୀ ଅଭାବ ନାହିଁ ବୋଲି କହୁଥିବାବେଳେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ଧରି ଫାର୍ମାସିଷ୍ଟ ପଦବୀ କାହିଁକି ଖାଲି ପଡ଼ିଛି ? ରୋଗୀ ସେବା ବାଧାପ୍ରାପ୍ତ ହେଉଛି ସ୍ସାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ଅବଗତ ଅଛନ୍ତି ତ ? ଦିନକୁ ଦିନ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

ପ୍ରସୂତି ଓ ଶିଶୁ ସ୍ଵାସ୍ଥ୍ଯ କେନ୍ଦ୍ର ଭଳି ଗୁରୁତ୍ତ୍ଵପୂର୍ଣ୍ଣ ବିଭାଗରେ କେମିତି ବନ୍ଦ ହୋଇପଡିଛି ମେଡିସିନ କାଉଣ୍ଟର ? ଏଥିପ୍ରତି ସରକାର କେବେ ଦୃଷ୍ଟି ଦେବେ ତାକୁ ଚାହିଁ ରହିଛନ୍ତି ଅଞ୍ଚଳବାସୀ?