ବିଜେପି ମନ୍ତ୍ରୀ ବିଜୟ ଶାହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ :  ଆର୍ମି ଅଫିସର କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ପ୍ରସଙ୍ଗ। ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ କୁନୱାର ବିଜୟ ଶାହଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏହାସହ ଏଫଆଇଆର ରୁଜୁ ଲାଗି  ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।  ସିଜେଆଇ ଜଷ୍ଟିସ ବି.ଆର.ଗବାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି- ସାମ୍ବିଧାନିକ ପଦବିରେ ଥିବା ଜଣେ ବ୍ୟକ୍ତି ଦାୟିତ୍ବସମ୍ପନ୍ନ ହେବା ଉଚିତ। ଏହି ବିବୃତି ଜଣେ ମନ୍ତ୍ରୀଙ୍କ କ୍ଷେତ୍ରରେ ଉପଯୁକ୍ତ ନୁହେଁ। ଆସନ୍ତା କାଲି ଏହି ମାମଲାର ଶୁଣାଣି ହେବ।

କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିରୋଧରେ ଆଦିବାସୀ ବ୍ୟାପାର ମନ୍ତ୍ରୀ କୁନୱାର ବିଜୟ ଦେଇଥିଲେ ବୟାନ। ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରେସ ବ୍ରିଫିଂ ସୋଫିଆ କରିଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟ ନିଜ ଆଡୁ କରିଥିଲେ ମାମଲା ରୁଜୁ। କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି କହିଥିଲେ ବିଜୟ।  ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ବିଜୟ ଏହି ବିବାଦୀୟ ବୟାନ ଦେଇଥିଲେ। ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ସେ ଏହି ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ।