ବିବାଦ ଘେରରେ ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି

1 min read

ଭୁବନେଶ୍ବର : ବିବାଦ ଘେରରେ ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି। ଶିକ୍ଷକଙ୍କ ବଦଳି ଭାଗ୍ୟ ବିଧାୟକ ଓ ସାଂସଦଙ୍କ ହାତକୁ ଟେକି ଦେଲେ ସରକାର। ପ୍ରତି ସାଂସଦ ଓ ବିଧାୟକ ନିଜ ଜିଲ୍ଲା ବା ନିର୍ବାଚନମଣ୍ଡଳୀର ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିଶ କରି ପାରିବେ। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ହେଲେ ଏଥିରେ ଥିବା ସର୍ତ୍ତାବଳୀକୁ ନେଇ ଆପତ୍ତି ଉଠାଇଛନ୍ତି ଶିକ୍ଷକ। ବଦଳି ପ୍ରକ୍ରିୟାରେ ବିଧାୟକ ଓ ସାଂସଦଙ୍କ ସୁପାରିଶ ଉପରେ ପ୍ରଶ୍ନ ଉଠାଇଛି ଓଷ୍ଟା। ଅଫଲାଇନ ସହ  ଅନଲାଇନରେ ବି ଆବେଦନ ପାଇଁ ବି ଦାବି କରିଛି । କେବଳ ଅଫଲାଇନରେ ସୁପାରିଶ କରାଗଲେ ମେଡିକାଲ କେଶ୍ ବା ସ୍ବାମୀ-ସ୍ତ୍ରୀଙ୍କ ବଦଳି କ୍ଷେତ୍ରରେ ସମସ୍ୟା ଉପୁଜିବ। ଯେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି, ସେଠାକୁ ଶିକ୍ଷକଙ୍କୁ ବଦଳି କରାଯାଉ। ଗାଁରୁ ସହରକୁ ବଦଳି ନ ହେବାର ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିଛି ଓଷ୍ଟା । ଏବେ ଶିକ୍ଷକଙ୍କ ଭିତରେ ରାଜନୈତିକ ବଦଳିର ଭୟ ପଶିଛି । ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ କେବଳ ସରକାରୀ ଦଳର ନିର୍ବାଚିତ ପ୍ରତିନିଧିଙ୍କ କଥାକୁ ସରକାର ଅଗ୍ରାଧିକାର ଦେବେ ବୋଲି ଓଷ୍ଟା ଆଶଙ୍କା ପ୍ରକାଶ କରିଛି  ।

ବିରୋଧୀଙ୍କ ଅଭିଯୋଗ ସରକାର ବଦଳି ପ୍ରକ୍ରିୟାରେ ରାଜନୈତିକ ସୁପାରିଶକୁ ବିଧିବଦ୍ଧ ମାନ୍ୟତା ଦେଇଛନ୍ତି । ଏହାଦ୍ବାରା ବିରୋଧୀ ଦଳର ଜନପ୍ରତିନିଧି ଅଣଦେଖା ହେବାର ମଧ୍ୟ ଆଶଙ୍କା ରହିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ଗଣଶିକ୍ଷା ମନ୍ତ୍ରୀ କେବେ ବିରୋଧୀ ଦଳ କଥା ଶୁଣନ୍ତି ନାହିଁ । ବିଜେଡି କିନ୍ତୁ ବଦଳି ପାଇଁ ସୁପାରିଶ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ତେବେ ଏଥିରେ ସ୍ବାସ୍ଥ୍ୟଗତ ଦିଗକୁ ଗୁରୁତ୍ବ ଦେବାକୁ ବିଜେଡି ପ୍ରସ୍ତାବ ଦେଇଛି । ସେପଟେ ବଦଳି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଶିକ୍ଷକଙ୍କ ବଦଳି ଓ ପୋଷ୍ଟିଂ ପାଇଁ ବିଭିନ୍ନ ସମୟରେ ନିର୍ବାଚିତ ପ୍ରତିନିଧିମାନେ ସୁପାରିଶ କରିଥାନ୍ତି । ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ଏହାକୁ ରାଜ୍ୟ ସରକାର ବୈଧ କରିବା ପରେ ସର୍ତ୍ତାବଳୀ ପ୍ରକ୍ରିୟାକୁ ସରଳ ବଦଳରେ ଜଟିଳ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।