ପଞ୍ଜାବରେ ମୃତ୍ୟୁର ତାଣ୍ଡବ : ବିଷାକ୍ତ ମଦ ନେଲା ୧୪ଜୀବନ

1 min read

ନନ୍ଦିଘୋଷ ବ୍ୟୁରୋ: ବିଷାକ୍ତ ମଦ ନେଲା ୧୪ଜୀବନ । ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହି ଘଟଣା ମଜୀଠାର ମଡଇ ଗାଁ ଓ ଭାଗଲୀ ଗାଁରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ପୋଲିସର କହିବା ମୁତାବକ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଶବକୁ ପୁଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରଯାଉଛି । ଗୁରୁତର ଲୋକଙ୍କୁ ଅମୃତସରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ମୃତ୍ୟୁବରଣ କରିଥିବା ଅଧିକାଂଶ ଶ୍ରମିକମାନେ ଇଟା ଭାଟିରେ କାମ କରନ୍ତି।

ଅମୃତସର ଏସଏସପି ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏହି ମାମଲାର ଯାଞ୍ଚ ଏବେ ଆରମ୍ଭ ହୋଇଛି । ବିଷାକ୍ତ ମଦ କାରବାରର ମୁଖ୍ୟ ଅଭିଯୁକ୍ତ ପ୍ରଭଜିତ୍ ସିଂଙ୍କୁ ତୁରନ୍ତ ଗିରଫ କରାଯାଇଛି । ଏହାସହ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତମାନଙ୍କୁ ଗିରଫ କରି ପୁଲିସ ଯାଞ୍ଚ କରୁଛି ।  ପୋଲିସ ସେମାନଙ୍କ ବିରୁଦ୍ଧରେ ଧାରା 105 BNS ଏବଂ 61A ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକ ଏବେ ବି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି। ଘଟଣା ପରେ, ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ସାରା ରାଜ୍ୟରେ ଚାଲିଥିବା ନକଲି ମଦ କାରବାରର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ପଞ୍ଜାବରେ ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁର ପ୍ରଥମ ଘଟଣା ନୁହେଁ ଗତବର୍ଷ ମାର୍ଚ୍ଚ ମାସରେ, ସାଙ୍ଗରୁରରେ ବିଷାକ୍ତ ମଦ ପିଇ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇଲେ। ୨୦୨୦ ମସିହାରେ, ତରନତାରନରେ ବିଷାକ୍ତ ମଦ ପିଇବା ଯୋଗୁଁ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ତତ୍କାଳୀନ ସରକାର ଏବଂ ପ୍ରଶାସନ ଉପରେ ପ୍ରଶ୍ନ ଉଠିଥିଲା।

 

ନଜର ପକାନ୍ତୁ