ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ, ୩ ଗିରଫ
1 min read
ନୟାଗଡ଼: ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ । ନୟାଗଡ଼ ପାଲିଟିଛି ଓଡ଼ିଶାର ଜମତାରା। କମ ଦିନରେ ଅଧିକ ଟଙ୍କାର ଲୋଭ ଦେଖାଇ, ସର୍ବଶ୍ବାନ୍ତ କରି ଦେଉଛନ୍ତି ସାଇବର ସୈତାନ । ସତ୍ୟରଞ୍ଜନ ଶତପଥୀଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଅଭିଯୋଗ ମୁତାବକ ମାର୍ଚ୍ଚ ମାସରେ ଟେଲିଗ୍ରାମ ଲିଙ୍କ ପାଇବା ପରେ, କିଛି ଟଙ୍କା ଇନଭେଷ୍ଟମେଣ୍ଟ କରି ଟଙ୍କା ଫେରସ୍ତ ପାଇଥିଲେ । ହେଲେ ଠକମାନେ ତାଙ୍କୁ ମୋଟା ଟଙ୍କା ଲଗାଇ ଦୁଇ ଡବଲ ନେବାକୁ ଲୋଭ ଦେଖାଇଥିଲେ । ଲୋଭର ପଡ଼ି ୭ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ସର୍ବସ୍ୱ ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଥିଲା ସାଇବର ଥାନା ପୋଲିସ । ନୟାଗଡ଼ରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲାର ରାକେଶ ସ୍ୱାଇଁ, ବାବୁଲାଲ ସ୍ୱାଇଁ ଓ ମିଥୁନ ବିଶ୍ୱାଳ । ଅଭିଯୁକ୍ତଙ୍କ ଭିତରୁ ଜଣେ ଯୁକ୍ତ ୨ ପାଠ ପଢିଥିବା ବେଳେ ଅନ୍ୟ ଦୁଇଜଣ ମଜୁରିଆ ଭାବେ କାମ କରନ୍ତି । ବିଶେଷକରି ଗାଁ ଗାଁ କୁ ବୁଲି ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦଲାଲ ମାନେ ସାଇବର ଠକଙ୍କୁ ଦେଉଛନ୍ତି ମୋଟା ଅଙ୍କର ଟଙ୍କା ।
ଠିକ ସେହିପରି ଫେକ ପ୍ରି ଆକ୍ଟିଭେଟେଡ଼ ସିମ ବାବଦକୁ ବି ଟଙ୍କା ଦେଇ ସିମ କିଣନ୍ତି ଠକ । ଉଭୟ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟେଡ଼ ସିମ କୁ ଠକେଇରେ ବ୍ୟବହାର କରୁଥିଲେ । ତେବେ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି- ଆକ୍ଟିଭେଟେଡ଼ ସିମ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ପୂର୍ବରୁ ଓଡିଶା ବାହାର ଠକ ସାଇବର ଠକେଇ କରୁଥିବା ବେଳେ ଏବେ ରାଜ୍ୟ ଭିତର ଠକ ଆକ୍ଟିଭ ହେବା ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା ।