ହରିହରପୁର ଗାଁରେ ମହୁମାଛି ଆତଙ୍କ ; ଜଣେ ମୃତ, ୨୫ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ମହୁମାଛି ଆକ୍ରମଣରେ ଜଣେ ମୃତ, ୨୫ ଜଣ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ତିପଦା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ବିପିନ୍ ପ୍ରଧାନ । ବିପିନ୍ ପ୍ରଧାନ ଦୀର୍ଘ ଦିନ ହେବ କୋଶଳା ଗ୍ରାମରେ ରହୁଥିବା ବେଳେ ନିଜ ଗ୍ରାମ ହରିହରପୁର ଗ୍ରାମକୁ ବୈଠକରେ ଯୋଗ ଦେବାପାଇଁ ଯାଉଥିଲେ । ଗ୍ରାମର ଆରମ୍ଭରେ ଥିବା ପାଣିଟାଙ୍କିରେ ମହୁମାଛି ବସା ରହିଥିଲା ।
ଗତକାଲି ସନ୍ଧ୍ୟାରେ ସ୍କୁଲ ପରିସରରେ ଗ୍ରାମର ବୈଠକ ଚାଲିଥିବା ସମୟରେ ମହୁମାଛି ବସାକୁ ଚଢ଼େଇ ଆକ୍ରମଣ କରି ଭାଙ୍ଗି ଦେଇଥିଲା । ଫଳରେ ମହୁ ମାଛି ଏଣେ ତେଣେ ଉଡିବା ସହିତ ସ୍କୁଲ ପରିସରରେ ବୈଠକ କରୁଥିବା ୨୫ରୁ ଅଧିକ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିବା ବେଳେ ବିପିନ୍ ପ୍ରଧାନଙ୍କୁ ବହୁ ମାଛି ଆକ୍ରମଣ କରିଥିଲେ । ଫଳରେ ବିପିନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିପିନଙ୍କୁ ପ୍ରଥମେ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ମହୁବସାକୁ ଭାଙ୍ଗିବା ପାଇଁ ଦାବି କରିଛନ୍ତି ।