ମୋହନଙ୍କ ତୁଣ୍ଡରେ ନବୀନ ସରକାରଙ୍କ କୃତିତ୍ବର ଉପଲବ୍ଧି, ମୁମ୍ଵାଇରେ ନ କହି ରହିପାରିଲେନି ମୁଖ୍ୟମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମାଣରେ ଏକ୍ସଲେଣ୍ଟ । ଏ ସଫଳତା ୧୦ ମାସର ସରକାର ଭିତରେ ମିଳିନି । ପୂର୍ବ ନବୀନ ସରକାରଙ୍କ କୃତିତ୍ବର ଉପଲବ୍ଧି ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୁଣ୍ଡରେ । ଖୋ-ଖୋ ଓ କବାଡ଼ି ପରି ସ୍ବଦେଶୀ କ୍ରୀଡ଼ାର ହାଇ ପରଫରମାନ୍‌ସ ସେଣ୍ଟର ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ବୋଲି ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବୀକାରୋକ୍ତି ବିଜେପିର ମିଛ ନ୍ୟାରେଟିଭ୍ ଗୁମର ଖୋଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଧରା ପଡ଼ିଲା ବିଜେପି ସରକାରର ରାଜନୀତି ଏଜେଣ୍ଡା । ବିଧାନସଭା ଭିତରେ ଓ ବାହାରେ ଶ୍ରେୟ ନେବା ନିଶା ଘାରିଛି ସରକାରଙ୍କୁ । ଖୋଦ ପୂର୍ବ ନବୀନ ସରକାରଙ୍କ କ୍ରୀଡ଼ା ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତା ପୁଣି ମୁମ୍ବାଇରେ । ସ୍ଵଦେଶୀ କ୍ରୀଡ଼ା ଉପରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ବକ୍ତବ୍ୟରେ ନବୀନଙ୍କ ସମୟରେ ହୋଇଥିବା  କ୍ରୀଡ଼ାର ବିକାଶକୁ ମୋହର ମାରିଛନ୍ତି । ସ୍ବଦେଶୀ କ୍ରୀଡା ଖୋ-ଖୋର ବିକାଶ ପାଇଁ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ସହଭାଗୀତାରେ ୨୦୨୩ ନଭେମ୍ବର ୧୦ ତାରିଖରେ ତତ୍କାଳୀନ ସରକାର କରିଥିଲେ ବୁଝାମଣା ପତ୍ର । ଖୋ-ଖୋ ସେଣ୍ଟର ବି ପ୍ରତିଷ୍ଠା ହୋଇଥିଲା ।  ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ଗର୍ବର ସହ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ଯୁଗର ବିକାଶର ସତ୍ୟ ମାନିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛି ବିଜୁ ଜନତା ଦଳ । ନବୀନ ସରକାରଙ୍କ ବିରୋଧରେ ବିଜେପି ଅନେକ ମିଛ ନ୍ୟାରେଟିଭ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବେ ସତ କହିଛନ୍ତି ବୋଲି ବିଜେଡି ଦାବି କରିଛି ।

କ୍ରୀଡ଼ା ସହ ରାଜ୍ୟର ସାମଗ୍ରିକ ବିକାଶରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ସମାଲୋଚନା ନ କରି ସେ ଦିଗରେ କାମ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ବିଜେଡି । କଂଗ୍ରେସ ବି ସ୍ବୀକାର କରିଛି ନବୀନ ସରକାର ସମୟର କ୍ରୀଡ଼ା ବିକାଶକୁ । ହେଲେ ଏବର ସରକାର ଅଥର୍ବ ପାଲଟି ଯାଇଥିବା ଦଳ ଅଭିଯୋଗ କରିଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଏକ୍ସଲେନ୍‌ସ୍‌ ନେଇ କହିବା ପରେ ବିଜେପି ବି ପୂର୍ବ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ପରୋକ୍ଷରେ ସ୍ବୀକାର କରିଛି ।

କିଛି ମାସ ତଳେ କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନର ହାଇ ପରଫର୍ମାନସ୍ ସେଣ୍ଟର ଉଦଘାଟନ କରିଥିଲେ ସରକାର । ଏହାର ମୂଳଦୁଆ ନବୀନ ସରକାର ସମୟରି ପଡ଼ିବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ହେଲେ ଡବଲ ଇଞ୍ଜିନ ନୂଆ କରିବେ କଣ ଖାଲି ରଙ୍ଗ ଓ ନାମ ବଦଳାଇ ବାହାବା ନେବାକୁ ଚେଷ୍ଟା କରିଛନ୍ତି ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।