ବିଜେପି ସରକାର: ଘୋଷଣା ବେଶି କାମ କମ, ଘେରିଲେ ବିରୋଧୀ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡିଶାବାସୀଙ୍କ ବିଜେପି ପ୍ରତି ଭରସା ପାଉନାହିଁ । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହିଁ ଦଳ । ଲୋକେ ବିଜେପି ସରକାରକୁ ବୁଝିସାରିଲେଣି ବୋଲି କହି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସେପଟେ ବିଜେପି ସଭାପତି ଚୟନ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । କେବେ ସଭାପତି ଚୟନ ହେବ ସେ ପ୍ରଶ୍ନର ଉତ୍ତର ବିଜେପି ନେତାଙ୍କ ପାଖରେ ନାହିଁ ।

ଗାଁ ଗାଁରେ ଠପ୍ ହୋଇଯାଇଛି ବିକାଶ । ଲୋକେ ଏବେ ତୁଳନା କଲେଣି, ବିଜେପି ଓ ବିଜେଡି ସରକାର ମଧ୍ୟରେ ଫରକ କ’ଣ ? ବିରୋଧୀଙ୍କ ଅଭିଯୋଗ, ୨୦୨୪ ନିର୍ବାଚନରେ ମିଥ୍ୟା ପ୍ରତିଶ୍ରୁତି ଓ ଅପପ୍ରଚାର କରି ବିଜେପି ରାଜ୍ୟରେ କ୍ଷମତାକୁ ଆସିଲା । ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା । କୌଣସି ନୂଆ ପ୍ରକଳ୍ପ କାମ ମଧ୍ୟ ହୋଇନାହିଁ । ସରକାର ଗଠନକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ଲୋକେ ଏବେ ଶାସନ ଠାରୁ ମୁହଁ ଫେରାଇବାକୁ ବସିଲେଣି । ଲୋକେ ପୂର୍ବର ବିଜେଡି ଓ ବର୍ତ୍ତମାନର ବିଜେପି ସରକାର ମଧ୍ୟରେ ତୁଳନା କରିବା ଆରମ୍ଭ କଲେଣି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ।

ବିଜେପି ସରକାର ଘୋଷଣା ଅଧିକ କାମ କମ ବୋଲି ଲୋକେ ଅନୁଭବ କଲେଣି । ସରକାରୀ ସଭାକୁ ଡାକିଲେ ବି ଯାଉନାହାନ୍ତି । ପୂର୍ବ ସରକାରରେ ଯେପରି ବିକାଶ ହେଉଥିଲା ତାହା ଏବେକାର ସରକାରରେ ପୁରା ବନ୍ଦ ହୋଇଯାଇଛି । ଆଗକୁ ଲୋକେ ବିଜେପି ନେତାଙ୍କୁ ଏ ପ୍ରଶ୍ନ ପଚାରିବେ କହିଛି ବିଜେଡି । ସେହିପରି କଂଗ୍ରେସ ବିଧାୟକ ପବିତ୍ର ସାଉଟା କହିଛନ୍ତି ବିଜେପି ସରକାର କେବଳ କୁହାଳିଆ ସରକାର । ୩୦୦ ୟୁନିଟ ମାଗଣା ବିଜୁଳି, ସରକାର ଗଠନର ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ ଭଳି ଲମ୍ବା ପ୍ରତିଶୃତି କେବେ ପାଳନ ହେବ ବୋଲି ପଚାରିଛନ୍ତି ।

୧୧ ମାସ ଭିତରେ ରାଜ୍ୟରେ ଖାଲି ପଡିଛି ୬ ମନ୍ତ୍ରୀପଦ । ନିଗମ ବଣ୍ଟନ କରି ପାରୁନାହାନ୍ତି ସରକାର । ମନ୍ତ୍ରୀପଦ ପୂରଣ ନହେଲା ଭଳି ଦଳରେ ମଧ୍ୟ ସମ୍ମାନ ସ୍ଥିତି । ଭୁବନେଶ୍ଵରରୁ ଦିଲ୍ଲୀ କସରତ ଚାଲିଥିବା ବେଳେ ରାଜ୍ୟ ସଭାପତି ଚୟନ କରିପାରୁନି ଦଳ । କାହିଁକି ଅଧାଗଢା ମନ୍ତ୍ରିମଣ୍ଡଳ ଓ ରାଜ୍ୟ ସଭାପତି ଚୟନ ହୋଇପାରୁନାହିଁ, ସେ ନେଇ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଖରେ ବି ଉତ୍ତର ନାହିଁ l ଯାହାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛି ବିରୋଧୀ ବିଜେଡି ।

ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଡବଲ ଧୋକା ଦେଇଛନ୍ତି କହି, ବିରୋଧୀ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଲୋକଙ୍କ ସରକାର ସ୍ଲୋଗାନ ଦେଉଥିବା ବିଜେପି ସରକାରକୁ ଗ୍ରାଉଣ୍ଡରେ ଲୋକେ ଉଚିତ ଜବାବ ଦେବେ କହିଛନ୍ତି ବିରୋଧୀ । ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଉଥିବାବେଳେ ରାଜ୍ୟରେ ଉଷ୍ମ ହେବାରେ ଲାଗିଛି ରାଜନୀତି ।