ରଥକାଠ ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଡାଟାବେସ୍, ତାମିଲନାଡୁରୁ ଆସିବ ଚନ୍ଦନ କାଠ

ରଥକାଠ ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଡାଟାବେସ୍ । ଠିକଣା ସମୟରେ ପହଞ୍ଚିବ ରଥକନା । ତାମିଲନାଡୁରୁ ଆସିବ ଚନ୍ଦନ କାଠ । ରଥଯାତ୍ରା ସମୟରେ ୩୦ ଜଣଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ବୀମା ବ୍ୟବସ୍ଥା । ସେବାୟତଙ୍କ ପାଇଁ ମଧ୍ୟ ହେବ ବୀମା । ରଥଯାତ୍ରା ପାଇଁ ପୁରୀରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ସମନ୍ବୟ କମିଟି ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ ଖପୁରିଆ କରତ କଳକୁ ଆବଶ୍ୟକୀୟ କାଠ ଆସିଛି । ଭବିଷ୍ୟତରେ ଯେପରି ରଥକାଠ ସମସ୍ୟା ନହୁଏ, ସେଥିପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସ୍ଥିତି ନେଇ ଡାଟାବେସ ପ୍ରସ୍ତୁତ ହେବ । ୧୪ ଟି ରଥଟଣା ଓ ୬ଟି ଇନର ଓ ଆଉଟର କର୍ଡନ ଦଉଡ଼ି ଆସିସାରିଛି । ତେବେ ସ୍ୱାସ୍ଥ୍ୟ, ଔଷଧ ଯୋଗାଣ ଓ ଡାକ୍ତର ଅଭାବକୁ ନେଇ ଉଦବେଗ ପ୍ରକାଶ ପାଇଛି ।
ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ଯଥାଶୀଘ୍ର ଶେଷ ହେବ । ବଡ଼ଦାଣ୍ଡକୁ ୧୫ ଟି ଜୋନରେ ବିଭକ୍ତ କରାଯାଇଛି । ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି । ବିଦ୍ୟୁତ ସମସ୍ୟା ନେଇ ହୋଇଛି ଆଲୋଚନା । ସ୍ବତନ୍ତ୍ର ବସ୍ ଚଳାଚଳ, ନିର୍ଦ୍ଧାରିତ ରେଟଚାର୍ଟ, ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର କ୍ରେନ୍ ନିୟୋଜିତ ହେବ । ପୂର୍ବତଟ ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ୩୦ ହଜାର ଲୋକଙ୍କ ପାଇଁ ଷ୍ଟେସନରେ ବ୍ୟବସ୍ଥା ସହ ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡିଓ ୱାଲ୍ ସହ ୩୫ଟି ଟିକେଟ ବୁକିଙ୍ଗ କାଉଣ୍ଟର ଓ ୬ଟି ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ । ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ସହରରେ ସିସିଟିଭି କ୍ୟାମେରା ଲଗାଯିବ ।