ବସ୍ତିରେ ବଢୁଛି ହିଂସା, ଫିଲ୍ମ ଷ୍ଟାଇଲରେ ବୁଲୁଛି ହତିଆର

ଭୁବନେଶ୍ବର: ବସ୍ତିରେ ବଢୁଛି ହିଂସା, ଗଡୁଛି ମୁଣ୍ଡ । ରକ୍ତ ଚରିତ୍ର ଫିଲ୍ମ ଷ୍ଟାଇଲରେ ବୁଲୁଛି ହତିଆର । ନିଶା ଖାଇ ନାରକୀୟ କାଣ୍ଡ ଘଟାଉଛନ୍ତି ବସ୍ତି ବାସିନ୍ଦା । ସକାଳୁ ସାଇନ୍ସପାର୍କ ଆଉ ରାତିରେ ଶାନ୍ତିପଲ୍ଲୀରେ ଗଡ଼ିଲା ମୁଣ୍ଡ । ଗତ ୨୬ ତାରିଖରେ ସହିଦନଗର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ବସ୍ତିରେ ହୋଇଥିବା ଛୁରାମାଡ଼ ଘଟଣାରେ ବୁଧବାର ଜନ୍ମେଜୟ ନାୟକଙ୍କ ମୃତ୍ୟୁ ହୋଇଛି । ଆଉ ଠିକ ପରେ ପରେ ପୁଣି ଶାନ୍ତିପଲ୍ଲୀ ବସ୍ତିରେ ହୋଇଛି ଆଉଏକ ମର୍ଡର । ନିଶାଖାଇ ଭାଇକୁ ମାରିଛି ଭାଇ । ମୃତକଙ୍କ ନାଁ ହମ୍ମିଦୁଲ ଖାଁ । ଭାଇ ଇମ୍ମତ ଖାଁ ଲୁହାରଡରେ ପିଟିଦେବାରୁ ତାଙ୍କର ମୃତ୍ଯୁ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅତ୍ୟଧିକ ନିଶା ଖାଇ ଏଭଳି ଘଟଣା ଘଟାଇଥିବା ସୂଚନା ଦେଇଛନ୍ତି ଏସିପି । କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ମାଆ ଓ ପତ୍ନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ ।

ହୋଲି ଦିନ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣିଙ୍କୁ ଦିନ ଦ୍ୱିପ୍ରହରେ ନିର୍ମମ ହତ୍ୟା ଓ ଠିକ ସେହିଦିନ ମଞ୍ଚେଶ୍ୱର ଥାନା ଠାରୁ କିଛି ଦୂରରେ ସମେଇଗାଡ଼ିଆର ଆୟୁସ୍ମାନ ପତିଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି ଦୁଇଟି ଘଟଣା ପୂର୍ବରୁ ରାଜରାସ୍ତା ଉପରେ ସହଦେବ ନାୟକଙ୍କୁ ଗଣ୍ଡି ମୁଣ୍ଡ ଅଲଗା କରି ବିଭତ୍ସ ହତ୍ୟା କରାଯାଇଥିଲା । ବସ୍ତିରେ ରହୁଥିବା ଯୁବକଙ୍କୁ ହତ୍ୟା ପଛରେ ନିଶା ସାଜିଛି ମୂଳ କାରଣ । ବସ୍ତିରେ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କିଛିଦିନ ତଳେ ବସ୍ତି ମାନଙ୍କରେ ଲାଗିଥିଲା ଲଟକା । ଅପରାଧୀଙ୍କ ଘର ଆଗରେ ବାଜିଥିଲା ଡେଙ୍ଗୁରା । ସେପଟେ ବସ୍ତିକୁ ଚାଲ, ଖେଳକୁଦ ଭଳି ପ୍ରତିଯୋଗିତା କରି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିଲେ ମଧ୍ୟ ନିଶା ପାଇଁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ ।