ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ସୀମା ହାଇଦରଙ୍କୁ ନେଇ ସସପେନ୍ସ, ସୀମାଙ୍କ ବିରୋଧରେ ଜାରି ରହିଛି ୟୁପି ଏଟିଏସ ତଦନ୍ତ

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାାନ ଉତ୍ତେଜନା ମଧ୍ୟରେ ସୀମା ହାଇଦରଙ୍କୁ ନେଇ ବଢୁଛି ସସପେନ୍ସ । ସୀମାଙ୍କ ବିରୋଧରେ ଆଣ୍ଟି ଟେରରିଜିମ ସ୍କ୍ବାଡ(ଏଟିଏସ) ତଦନ୍ତ ଜାରି ରହିଥିବାବେଳେ ତାଙ୍କ ଓକିଲ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ବୟାନ । ସୀମା ସନାତନ ଧର୍ମ ଗ୍ରହଣ କରିଛନ୍ତି ଏବଂ ପହଲଗାଓଁ ଆତଙ୍କୀ ହମଲା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର ସଚିନ ମୀନାଙ୍କୁ କରିଛନ୍ତି ବୋଲି କହିଛନ୍ତି ଓକିଲ । ୨୦୨୩ରେ ପାକିସ୍ତାନ ଛାଡି ଭାରତ ଚାଲିଆସିଥିବା ସୀମା ସଚିନଙ୍କୁ ପ୍ରେମ ବିବାହ କରିଥିଲେ । ସେ ପୂର୍ବରୁ ବିବାହିତ ଥିଲେ । ସେ ୨୦୨୩ ମେ ମାସରେ ସଚିନଙ୍କୁ ବିବାହ କରିବା ଲାଗି ନିଜର ଚାରି ସନ୍ତାନଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଚାଲିଆସିଥିଲେ । ଜୁଲାଇ ମାସରେ ୟୁପି ଗୌତମବୁଦ୍ଧ ନଗର ଜିଲ୍ଲାର ରବୁପୁରାରେ ତାଙ୍କୁ ପ୍ରଶାସନ ଠାବ କରିଥିଲା । ୨୦୧୯ରେ ଅନଲାଇନ ଗେମ ଖେଳିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଆଡଭୋକେଟ ଏପି ସିଂହ କହିଛନ୍ତି ହାଇଦର ଭାରତରେ ଭାରତୀ ମୀନା ନାମ୍ନୀ କନ୍ୟାର ମା ହୋଇଛନ୍ତି । ଆତଙ୍କବାଦ ସହ ସୀମାଙ୍କ କୌଣସି ସମ୍ପର୍କ ନଥିବାରୁ ତାଙ୍କ ମାମଲାକୁ ସ୍ବତନ୍ତ୍ର ଭାବେ ଗ୍ରହଣ କରାଯାଉ । ସୀମାଙ୍କ ଝିଅ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି । ଏଟିଏସ ଟିମ୍ ବର୍ତ୍ତମାନ ସୀମାଙ୍କ ସମସ୍ତ ନଥିପତ୍ର ଯାଞ୍ଚ କରୁଛନ୍ତି । ପାକିସ୍ତାନୀ ନାଗରିକମାନଙ୍କୁ ତାଙ୍କ ଦେଶକୁ ଫେରାଇ ଦିଆଯିବାର ଡେଡଲାଇନ ଏପ୍ରିଲ ୨୭ରେ ଶେଷ ହୋଇଯାଇଥିବାବେଳେ ସୀମା କହିଛନ୍ତି ସେ ଭାରତର ବୋହୂ । ସେ ପାକିସ୍ତାନ ଯିବେ ନାହିଁ, ବରଂ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅନୁରୋଧ କରିବେ ।