ଆଜିଠାରୁ ବଦଳିଲା ୭ଟି ବଡ଼ ନିୟମ, ପ୍ରଭାବିତ ହେବେ ସାଧାରଣ ଜନତା
1 min read
ନନ୍ଦିଘୋଷ ବ୍ୟୁରୋ: ପ୍ରତି ମାସ ପହିଲାରୁ ସରକାର କିଛି ନିୟମରେ ପରିବର୍ତ୍ତନ କରିଥାନ୍ତି । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲର ଦାମ୍ ମାସର ୧ ତାରିଖରେ ସ୍ଥିର ହୋଇଥାଏ । ଏହା ମଧ୍ୟରେ ଆଜିଠାରୁ ଅନେକ ଫାଇନାନ୍ସିଆଲ ପରିବର୍ତ୍ତନ ହୋଇଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଥାଏ । ଏହିକ୍ରମରେ ଆଜିଠାରୁ ୭ଟି ବଡ଼ ନିୟମ ବଦଳିଛି ।
୧- ଅମୂଲ କ୍ଷୀର ମହଙ୍ଗା: ମଦର ଡେୟରୀ ଓ ବେରକା ବ୍ରାଣ୍ଡ ପରେ ଅମୂଲ ମଧ୍ୟ ସାରା ଦେଶରେ କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି ।
୨- ରେଲଓ୍ବେ ଟିକେଟ ବୁକିଂ ନିୟମ ପରିବର୍ତ୍ତନ: ଭାରତୀୟ ରେଲଓ୍ବେ ତରଫରୁ ନିୟମ ବଦଳିଛି । ଏବେ ସ୍ଲିପର ଓ ଏସି କୋଚରେ ଓ୍ବେଟିଂ ଟିକେଟ ମାନ୍ୟ ହେବ ନାହିଁ । ଅଗ୍ରୀମ ସଂରକ୍ଷଣର ଅବଧି ୧୨୦ ଦିନକୁ ହ୍ରାସ କରାଯାଇ ୬୦ ଦିନ କରାଯାଇଛି ।
୩- ଏଲପିଜି ସିଲିଣ୍ଡର ଦାମରେ ସଂଶୋଧନ: ପ୍ରତି ମାସର ୧ ତାରିଖରୁ ଏଲପିଜି ସିଲିଣ୍ଡରର ଦାମ୍ ସମୀକ୍ଷା କରାଯାଇଥାଏ । ୧ ମେରେ ଘରୋଇ ଓ ବ୍ୟବସାୟିକ ସିଲିଣ୍ଡରର ଦାମରେ ପରିବର୍ତ୍ତନ ସମ୍ଭାବନା ରହିଛି ।
୪- ଏଟିଏମ୍ ଓ ସିଏନଜି-ପିଏନଜି ଦାମରେ ପରିବର୍ତ୍ତନ: ଆଜି ଠାରୁ ଏୟାର ଟର୍ବାଇନ ଫୁଏଲ (ଏଟିଏଫ), କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି), ଓ ପାଇପଡ ନ୍ୟାଚୁରାଲ ଗ୍ୟାସ (ପିଏନଜି)ର ଦରରେ ପରିବର୍ତ୍ତନ ସମ୍ଭାବନା ରହିଛି ।
୫- ବ୍ୟାଙ୍କ ସୁଧ ଦର ପରିବର୍ତ୍ତନ ସମ୍ଭାବନା: ଆରବିଆଇ ଦ୍ବାରା ନିକଟରେ ରେପୋ ରେଟ କଟ୍ ପରେ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ସେଭିଙ୍ଗ ଆକାଉଣ୍ଟ ଉପରେ ସୁଧ ଦରରେ ପରିବର୍ତ୍ତନ କରିଛନ୍ତି । ଏହା ଗ୍ରାହକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ ।
୬- ବ୍ୟାଙ୍କ ଛୁଟି: ଚଳିତ ମାସରେ ବିଭିନ୍ନ ଉତ୍ସବ ଓ ସପ୍ତାହାନ୍ତ କାରଣରୁ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ । ତେଣୁ ବ୍ୟାଙ୍କରେ ଜରୁରୀ କାମ ଥିଲେ ଆଗୁଆ ସାରିଦେବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।
୭- ଏଟିଏମ୍ ନେଣଦେଣରେ ଅଧିକ ଖର୍ଚ୍ଚ: ଆଜିଠାରୁ ଏଟିଏମରୁ ନେଣଦେଣ ଶୁଳ୍କ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଚାର୍ଜ ବିତ୍ତୀୟ ଓ ଅଣ-ବିତ୍ତୀୟ ଉଭୟ କ୍ଷେତ୍ରରେ ଲାଗୁ ହେବ ।