ଡବଲ ଇଞ୍ଜିନ ସରକାରରେ ଡବଲ ଅବହେଳା ; ଅନ୍ତ୍ୟୋଦୟରେ ଘର ନିର୍ମାଣ ପାଇଁ ମିଳୁନି ପ୍ରଥମ କିସ୍ତି ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଡବଲ ଇଞ୍ଜିନ ସରକାରରେ ଡବଲ ଅବହେଳା । ଅନ୍ତ୍ୟୋଦୟରେ ଘର ନିର୍ମାଣ ପାଇଁ ମିଳିଛି କାର୍ଯ୍ୟାଦେଶ । ହେଲେ ୨୮ ଦିନ ବିତିଯାଇଥିଲେ ବି ମିଳୁନି ପ୍ରଥମ କିସ୍ତି ଟଙ୍କା । ହିତାଧିକାରୀଙ୍କୁ ଏବେ ସରକାରଙ୍କ ଘୋଷଣା ଲାଗୁଛି ଦିବା ସ୍ବପ୍ନ । ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ରହିବା ସୁବିଧା କରିବା ପାଇଁ ସରକାର ମାର୍ଚ୍ଚ ମାସ ୩୦ ତରିଖ ଦିନ ରାଜ୍ୟର ସମସ୍ତ ବ୍ଲକରେ ଅନ୍ତୋଦୟ ଆବାସ ଯୋଜନରେ କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଏଥିରେ ସମସ୍ତ ହିତାଧିକାରୀ ଖୁସି ହୋଇ ପଡିଥିଲେ | ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବ୍ଲକରେ ୨ ହଜାର ୬୨ ଜଣ ଙ୍କୁ ତାଲିକା ଭୁକ୍ତ କରି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କିନ୍ତୁ ବିଡମ୍ବନା ର ବିଷୟ କାର୍ଯ୍ୟଦେଶ ଦେବାର ୨୫ ଦିନ ପରେ ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଆବାସ ଯୋଜନା ବାବଦରେ ପ୍ରଥମ କିସ୍ତି ଟଙ୍କା ଜମା ହୋଇନାହିଁ । ଯାହାକୁ ନେଇ ମାନସିକ ଅଶାନ୍ତିରେ ହିତାଧିକାରୀ ।
ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତର ଲେମ୍ବୁଧର ଅମାନାତ୍ୟ ଓ ମଧୁ ପୂଝରୀ କାର୍ଯ୍ୟାଦେଶ ପାଇବା ପରେ ଘର କାମ ପାଇ ବାଲି, ଇଟା, ପଥର, ଜମା କରିଛନ୍ତି । ଏହି ସାମଗ୍ରୀ ବାବଦକୁ ମାଲିକକୁ ଟଙ୍କା ଦେବାର ଅଛି । କିନ୍ତୁ ନିଜ ପାଖରେ ଟଙ୍କା ନାହିଁ | ଅନ୍ୟପଟେ ହିତାଧିକାରୀ ନିଜ କୁଡ଼ିଆ ଭାଙ୍ଗି ଦେଇ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି | ପ୍ରଥମ କିସ୍ତି ଟଙ୍କା କାର୍ଯ୍ୟାଦେଶ ଦେବା ପରେ ସଙ୍ଗେ ସଙ୍ଗେ ପାସବୁକ କୁ ଟଙ୍କା ଆସିବା କଥା, କିନ୍ତୁ ଟଙ୍କା ନଆସିବାରୁ ହିତାଧିକାରୀ ହତାଶ ହୋଇ ପଡିଛି । କାର୍ଯ୍ୟାଦେଶ ମିଳିବାର ୧୨୦ଦିନ ଭିତରେ ଘର କାମ ଶେଷ କଲେ ସରକାର ହିତାଧିକାରୀଙ୍କୁ ବୋନସ ବାବଦରେ ୨୦ ହଜାର ଟଙ୍କା ଦେଇଥାନ୍ତେ । ହେଲେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ମିଳିନଥିବା ବେଳେ କିଭଳି ଶୀଘ୍ର ଘର କାମ ସାରିବେ ସେନେଇ ଚିନ୍ତାରେ ହିତାଧିକାରୀ ।