ତାରିଖ ପରେ ତାରିଖ, ପ୍ରହସନ ପାଲଟିଛି ଟେଣ୍ଡର: ଝୁଲିଛି କ୍ୟାପିଟାଲ ରିଜିୟନ ରିଂ ରୋଡ୍ ଭାଗ୍ୟ
1 min read
ଭୁବନେଶ୍ବର: ପ୍ରଶାସନିକ ଅନୁମୋଦନ ନାହିଁ । ତାରିଖ ପରେ ତାରିଖ । ଚାଲିଛି ଟେଣ୍ଡର ପ୍ରହସନ । ଏ ହେଉଛି କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ଼ ଭାଗ୍ୟ । ଗତ ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଆସିଲେ । ଓଡ଼ିଶା ରାସ୍ତା ହେବ ଆମେରିକା ରାସ୍ତା ଭଳି । ସ୍ବପ୍ନ ବାଣ୍ଟିଲେ ଗଲେ । ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କାମ କଣ? ଯେପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାତିର ନାହିଁ । କାହିଁକି ଆରମ୍ଭ ହୋଇପାରିନି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼ ? କାହିଁକି ବାରମ୍ବାର ଟେଣ୍ଡର ଆହ୍ବାନ ହୋଇ ତାରିଖ ପରେ ତାରିଖ ଘୁଞ୍ଚୁଛି ? କାହିଁକି ପ୍ରଶାସନିକ ଅନୁମୋଦନ ପାଇଁ ବିଳମ୍ବ ହେଉଛି? ଏମିକି ମାଳ ମାଳ ପ୍ରଶ୍ନ ଏବେ ବିରୋଧୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି । ଭୁବନେଶ୍ବର-କଟକ ସହରକୁ ଟ୍ରାଫିକ ମୁକ୍ତ କରିବା ପାଇଁ ୧୫ ବର୍ଷ ତଳୁ ପରିକଳ୍ପନା କରାଯାଇଥିବା ସିଆରଆର୍ ପାଇଁ କେନ୍ଦ୍ର ସରକାର ବାସ୍ତବରେ ଆନ୍ତରିକତା ଅଛି ତ? ରାଜ୍ୟ ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ ଏ ଦିଗରେ ବୋଧହୁଏ ଆଦୌ ତତ୍ପର ନଥିବା ଅଭିଯୋଗ କରିଛି କଂଗ୍ରେସ ।
ଟେଣ୍ଡର ତାରିଖ ଥିଲା ଚଳିତମାସ ୨୪ ତାରିଖ । ଏବେ ପୁଣି ଥରେ ଟେଣ୍ଡର ପକାଇବାର ଶେଷତାରିଖ ମେ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଶେଷଜ୍ଞଙ୍କ ଅଭିଯୋଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକିଏ ବି ହେଲେ ରିଙ୍ଗ ରୋଡ଼ ନିର୍ମାଣ ନେଇ ତତ୍ପର ନୁହଁନ୍ତି । ରାସ୍ତାଟି କେତେକ ଜିଲ୍ଲାର ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିବାରୁ ଏ ପର୍ଯ୍ୟନ୍ତ ଜଙ୍ଗଲ ଅନୁମୋଦନ ମିଳିନାହିଁ । ବହୁ ବିଳମ୍ବରେ ହୋଇଥିବା ଜନଶୁଣାଣିର ଫଳ କଣ ତାକୁ ବି ସାଧାରଣରେ ପ୍ରକାଶ କରାଯାଇନି । ବିଳମ୍ବ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି । ଯେହେତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ସେଥିପାଇଁ ଢିଲା ମାରିଚାଲିଛନ୍ତି ଏନ୍ଏଚ୍ଏ କର୍ତ୍ତୃପକ୍ଷ । ଏପରିକି ଜମି ଅଧିଗ୍ରହଣ ହୋଇଥିବା ଅଞ୍ଚଳର କେତେକ ଲୋକଙ୍କୁ କ୍ଷତିପୂରଣ ରାଶି ମିଳିନଥିବା ଅଭିଯୋଗ ହୋଇଛି ।