spot_img

Latest Posts

ପୋଲିସକୁ ଭୟନାହିଁ, ବେଫିକର ଅପରାଧୀ: ଦିନକୁ ଦିନ ବିଗୁଡୁଛି ରାଜ୍ୟର ଆଇନଶୃଙ୍ଖଳା

ଭୁବନେଶ୍ବର: ପୋଲିସକୁ ଭୟ ନାହିଁ । ବେଫିକର ଅପରାଧୀ । କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଅପରାଧ ନିୟନ୍ତ୍ରଣ? କୁଆଡ଼େ ଗଲା ବିଧାନସଭାରେ ଆଇନ ଶୃଂଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ? ବିଜେପି ସରକାରକୁ ଆସିବାର ପ୍ରଥମ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧୀକ ମାମଲା ରୁଜ୍ଜୁ ହେଲାଣି। ସେଥିରୁ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଥିବାବେଳେ ୭୩୮ଟିରେ ଚାର୍ଜସିଟ ଦିଆଯାଇଛି। ଅଭିଯୋଗ ଓ ମାମଲାର ଲମ୍ବା ଫର୍ଦ୍ଦ ବଢୁଥିବାବେଳେ ଏବେ ତାଲିକାରେ ଯୋଡ଼ି ହୋଇଛି ଗଞ୍ଜାମରେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା। ଢେଙ୍କାନାଳ ଜିଲ୍ଲାରେ ଶିଶୁ କନ୍ୟାକୁ ଧର୍ଷଣ ପରି ଅଭାବନୀୟ ଘଟଣା। ଖୋଦ୍ ରାଜଧାନୀ ବି ସୁରକ୍ଷିତ ନୁହେଁ। ରାଜନେତାଙ୍କୁ ଦାଦାବଟି ମାଗିବା ଅଭିଯୋଗ ଥାନାକୁ ଗଲାଣି ତ ଅବସରପ୍ରାପ୍ତ ପ୍ରଶାସିନକ ଅଧିକାରୀଙ୍କ ପୁଅକୁ ହାଣିବାକୁ ପଛାଇଲେ ନାହିଁ ଦୁର୍ବୃତ୍ତ। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ସିରିଜ ଲୁଟ ଚାଲିଛି। ସିସିଟିଭିକୁ ବି ଏବେ ଚୋରମାନଙ୍କ ଖାତିର ନାହିଁ । ନିଶା ପାଇଁ ହଣାକଟା ଖବରର ଖାନତଲାସ ଚାଲିଛି। ହୋଲି ଦିନ ହିଁ ୬ଟି ମୁଣ୍ଡ ସାରା ରାଜ୍ୟରେ ଗଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ଭିଆଇପିଙ୍କ ଘରୁ ଲୁଟ୍ ହେବା ସହ ପୋଲିସ ମିତ୍ରଙ୍କ ମୁଣ୍ଡ କଟା ଯାଉଛି । ଅପରାଧ କମିବା ବଦଳରେ ବଢୁଛି। ପ୍ରଶାସନ ଓ ପୋଲିସ ଦୁର୍ବଳ ହୋଇ ଯାଇଥିବାରୁ ଅପରାଧୀଙ୍କ ଭିତରେ ଭୟ ନଥିବା ଅଭିଯୋଗ ହୋଇଛି । ନିଜ କ୍ୟାରିୟର ବଞ୍ଚାଇବାକୁ ପୋଲିସ ବି ରାଜନୈତିକ ଢଙ୍ଗରେ କାମ କରୁଥିବା ଚର୍ଚ୍ଚା ଜୋର ଧରିଛି ।

ଗଞ୍ଜାମ ଜିଲ୍ଲାରେ ଚାରି ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଏକ ସମ୍ବେଦନଶୀଳ ଘଟଣା। ଦୋଷୀଙ୍କୁ ଦଣ୍ଡ ମିଳିବା କହି ଖସି ପଳାଉଥିବା ସରକାରଙ୍କ ପାଖରେ ଆଇନ ଶୃଂଖଳା ନିୟନ୍ତ୍ରଣକୁ ଆଣିବା ନେଇ କୌଣସି ଉତ୍ତର ନାହିଁ। ସରକାର ଆସୁ ଆସୁ ଯଦି ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ଅପରାଧୀଙ୍କ ଭିତରେ ଭୟ ଥାନ୍ତା। ହେଲେ ଚାପ ପରେ ଯେଉଁ ତଦନ୍ତ କଥା କୁହାଗଲା, ତାର ଏଯାଏ କୌଣସି ନିଷ୍କର୍ସ ଲୋକଲୋଚନକୁ ଆସିଲାନି।

Latest Posts

Don't Miss