ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆକର୍ଷଣ ସାଜିଛି ରଥ, କଳାକୁଞ୍ଜ: ଚଳିତବର୍ଷ ନିର୍ମାଣ ହୋଇଛି ୫୦ରୁ ଅଧିକ କୁଞ୍ଜ

ବ୍ରହ୍ମପୁର: କେଉଁଠି ରାମଙ୍କ ସହ ପର୍ଶୁରାମ ରଥର ଲଢେଇ ତ ଆଉ କେଉଁଠି ଶିବାରୁଢ଼ ଓ ଜ୍ବାଳାମୁଖୀ ରଥ ପ୍ରତିଯୋଗିତା । ଆଉ ଏହା ମଧ୍ୟରେ ବିଞ୍ଚଣା ରଥ ଏବଂ ଦୋଳି ରଥ ମହିମା ଶ୍ରଦ୍ଧାଳୁଙ୍କ ଆକର୍ଷିତ କରୁଛି । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଛି ଏପରି ପରମ୍ପରା । ବିଭିନ୍ନ ସାହିବସ୍ତିରେ ନିର୍ମାଣଧିନ ରଥ ଏବଂ କଳାକୁଞ୍ଜ ଲୋକଙ୍କ ଆକର୍ଷିତ କରୁଛି। ପରମ୍ପରା ଅନୁଯାୟୀ ଯାତ୍ରା ଆରମ୍ଭ ହେବା ପରେ ପ୍ରଥମେ ବାଚୁଆରି ସାହିର ବିଞ୍ଚଣା ରଥ ବାହାର କରାଯାଏ । ଏହାପରେ ସହରର ଅନ୍ୟାନ୍ୟ ସାହିରେ ରଥ ବାହାରିଥାଏ । ବିଞ୍ଚଣା ରଥ ଭଳି ସାନ୍ତାରାଣୀ ସାହିରେ ରହିଛି ଦୋଳିରଥ । ଚଳିତବର୍ଷ ସହରରେ ୫୦ ରୁ ଅଧିକ ରଥ ବାହାର କରାଯାଇଛି । ଆଉ ଏଥିରେ ପ୍ରମୁଖ ହେଉଛି ନୃସିଂହ ମନ୍ଦିର ସାହିର ରାମଚନ୍ଦ୍ର ରଥ ଏବଂ ଚନ୍ଦ୍ରଶେଖର ମନ୍ଦିର ସାହିର ବୀର ହନୁମାନ ରଥ । ପୂର୍ବରୁ ବିଭିନ୍ନ ସାହିରୁ ରଥ ବାହାରି ମାଆଙ୍କ ଅସ୍ଥାୟୀ ମନ୍ଦିର ନିକଟରେ ଏକାଠି ହେଉଥିଲେ । ହେଲେ ସମୟକ୍ରମେ ଏହି ପରରାରେ ପରିବର୍ତ୍ତନ ଆସିଛି । ଅସ୍ଥାୟୀ ମନ୍ଦିର ପରିବର୍ତ୍ତେ ନିଜ ନିଜ ସାହିରେ ରଥ ନିର୍ମାଣ କରାଯାଉଛି । ଏହି କ୍ରମରେ ସାମିଲ ହୋଇଛି ଷଣ୍ଢ ମହାନ୍ତି ସାହିର ଶିବରୁଢ କାଳୀ ଏବଂ କାଳୁପାତ୍ର ସାହର ଜ୍ବଳାମୁଖୀ ରଥ।

ପୂର୍ବରୁ ସହରରେ ଶହେରୁ ଅଧିକ ରଥ ବାହାରୁଥିଲା । ହେଲେ ସମୟକ୍ରମେ ରଥ ସଂଖ୍ୟା ହ୍ରାସ ପାଇ ସେହି ସ୍ଥାନରେ କଳାକୁଞ୍ଜ ନିର୍ମାଣ ହେବାରେ ଲଗିଛି । ଆଉ ଏଥିରେ ପ୍ରମୂଖ ହେଉଛି ଖାସ୍‌ପା ସାହିର ହରି ଅର୍ଜୁନ, ରାଜା ସାହିର ଶିବ ଏବଂ ସାନ୍ତାରାଣୀ ସାହିର ମାଆ ଗାୟତ୍ରୀଙ୍କ ପ୍ରତିମୁର୍ତ୍ତି । ରଥ ଗୁଡିକ ସ୍ଥାୟୀ ଚରିତ୍ର ଏବଂ ନିର୍ଦିଷ୍ଟ ଭାବଭଙ୍ଗୀକୁ ନେଇ ନିର୍ମାଣ କରାଯାଉଥିବା ବେଳେ କଳାକୁଞ୍ଜ ଗୁଡିକ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ କରାଯାଉଛି । ସୁନ୍ଦର ଆଲୋକ ସୁଜ୍ଜା ସହ ଏହି ସୁଉଚ୍ଚ କଳାକୁଞ୍ଚ ଲୋକଙ୍କ ମନ ମୋହୁଛି ।