ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଓଇଆର୍ସିରେ ଶୁଣାଣି ଆରମ୍ଭ, ଦର ବୃଦ୍ଧିର ପ୍ରସ୍ତାବ ରଖିଲା ଓଏଚ୍ପିସି
1 min readଭୁବନେଶ୍ବର : ୨୦୨୦-୨୦୨୧ ଆର୍ଥକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ-ଓଇଆର୍ସି ଶୁଣାଣି ଆରମ୍ଭ କରିଛି । ପ୍ରଥମ ଦିନରେ ଜଳ ବିଦ୍ୟୁତ ନିଗମ- ଓଏଚ୍ପିସି ଚଳିତବର୍ଷ ୟୁନିଟ୍ ପିଛା ବିଦ୍ୟୁତ୍ ଦର ୮୮ ପଇସାରୁ ୯୬ ପଇସାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି । ଓଏଚ୍ପିସିର ଏହି ପ୍ରସ୍ତାବକୁ ବିରୋଧ କରିଛି ବିଦ୍ୟୁତ୍ ଉପଭୋକ୍ତ ମହାସଂଘ ।
ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଓଇଆର୍ସିର ଶୁଣାଣି ବେଳେ ପ୍ରଥମ ଦିନ ପକ୍ଷ ରଖିଛି ଓଏଚ୍ପିସି । ବୃଦ୍ଧି ପାଇଁ ଦେଇଛି ପ୍ରସ୍ତାବ । ଉପଭୋକ୍ତ। ସଂଘ କିନ୍ତୁ ଏହାକୁ ସିଧା ସଳଖ ବିରୋଧ କରିଛି । ତେବେ ମାର୍ଚ୍ଚରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି । ପୁରୁଣା ୟୁନିଟ୍ର ରକ୍ଷଣାବେକ୍ଷଣ ଓ ନବୀକରଣ ପାଇଁ ଅଧିକ ଅର୍ଥ ଆବଶ୍ୟକ । ତେଣୁ ଦର ବୃଦ୍ଧି ପାଇଁ ଓଏଚ୍ପିସି ଯୁକ୍ତି ଦର୍ଶାଇଛି । ୨୦୨୦-୨୧ ବର୍ଷରେ ୫ ହଜାର ୬୦୨ ଦଶମିକ ୬୦ ମିଲିୟନ ୟୁନିଟ ବିଦ୍ୟୁତ୍ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ଓଏଚ୍ପିସି । ଏହାସହ ବାର୍ଷିକ ଆୟ ୫୩୬ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି ।
ସେପଟେ ଟାରିଫ ବୃଦ୍ଧି ପ୍ରସ୍ତାବକୁ ବିଦ୍ୟୁତ ଉପଭୋକ୍ତା ସଂଘ ଓ ବିଶେଷଜ୍ଞ ବିରୋଧ କରିଛନ୍ତି । ରାଜ୍ୟ ସରକାରଙ୍କୁ ୩୧କୋଟି ଟଙ୍କା ଲାଭାଂଶ ଦେବା ଓ ୬୬୨ କୋଟି ଫିକ୍ସଡ ଡିପୋଜିଟ୍ ପରେ କିପରି ଓଏଚ୍ପିସି ଟାରିଫ ବୃଦ୍ଧି ପ୍ରସ୍ତାବ ଦେଉଛି ବୋଲି ଉପଭୋକ୍ତ। ସଂଘ ପ୍ରଶ୍ନ କରିଛି । ଓଏଚ୍ପିସି କାହଁକି ବକେୟା ୪ ଶହ କୋଟି ଟଙ୍କା ଆଦାୟ କରୁନାହିଁ ବୋଲି ବିଦ୍ୟୁତ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
୧୪ ତାରିଖ ପର୍ଯ୍ୟନ୍ତ ଓଇଆରସିରେ ଶୁଣାଣି ଚାଲିବ । ବିଭିନ୍ନ ବିଦ୍ୟୁତ ବିତରକ ସଂସ୍ଥା ପକ୍ଷ ରଖିବେ । ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ଜଣା ପଡ଼ିବ ବିଦ୍ୟୁତ ଟାରିଫ ବୃଦ୍ଧି ପାଇବ କି ନାହିଁ । ୨ ବର୍ଷ ହେଲା ବିଦ୍ୟୁତ ଦର ବୃଦ୍ଧି ପାଇ ନଥିବାରୁ ଏଥର ବଢ଼ିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।