ଭାରତରେ ବନ୍ଦ ହେଲା ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗୋଟିଏ ପରେ ଗୋଟିଏ ଆକ୍ସନ ନେବାରେ ଲାଗିଛି । ସଦ୍ୟ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ସୋସିଆଲ ମିଡ଼ିଆ ଆଟାକ କରିଛି ଭାରତ । ଭାରତରେ ବନ୍ଦ ହେଲା ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟ । ଏକ୍ସ ପକ୍ଷରୁ କୁହାଯାଇଛି, ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ଏକ୍ସ କର୍ତ୍ତୃପକ୍ଷ ଏକ ସ୍କ୍ରିନ୍ ସର୍ଟ ସେୟାର କରି ଉଲ୍ଲେଖ କରିଛନ୍ତି, ଭାରତ ସରକାରଙ୍କ ଆଇନଗତ ଦାବି ପରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି ।

ଏହା ପୂର୍ବରୁ ଭାରତ ପାକିସ୍ତାନ ଉପରେ କିଛି ବଡ଼ ଆକ୍ସନ ନେଇଛି । ଅଟାରୀ ସୀମାକୁ ବନ୍ଦ କରି ଦିଆଯାଇଛି । ସିନ୍ଧୁ ନଦୀ ଚୁକ୍ତିନାମାକୁ ଭାରତ ରଦ୍ଦ କରି ଦେଇଛି । ଏହାସହ ଭାରତରେ ଥିବା ପାକିସ୍ତାନ ଦୂତାବାସର କର୍ମଚାରୀଙ୍କ ସଂଖ୍ୟା ୫୫ରୁ କମାଇ ୩୦ କରିଦିଆଯାଇଛି । ଏତିକି ନୁହେଁ, ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କୁହାଯାଇଛି । ପାକିସ୍ତାନଙ୍କୁ ଭାରତୀୟ ଭିସା ଦେବା ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାଓଁରେ ପାକିସ୍ତାନୀ ପ୍ରୟୋଜିତ ଆତଙ୍କବାଦୀ ନରସଂହାର କରିଥିଲେ । ଧର୍ମ ପଚାରି ଜଣଙ୍କ ପରେ ଜଣେ କରି ୨୮ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଏହି ଆତଙ୍କବାଦୀ ।