ଆତଙ୍କବାଦୀ ଆକ୍ରମଣ ପରେ କଡ଼ା ସୁରକ୍ଷାରେ ଜାମ୍ମୁ କାଶ୍ମୀର, ହାଇ ଆଲର୍ଟରେ ଦିଲ୍ଲୀ

1 min read

ଜାମ୍ମୁ କାଶ୍ମୀର: ଭୂସ୍ବର୍ଗରେ ରକ୍ତର ହୋଲି । ଜାମୁ ଓ କାଶ୍ମୀରରେ ଆତଙ୍କୀ ହମଲାରେ ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ । ଗତକାଲି ସଇତାନଙ୍କ ଏହି ବୀଭତ୍ସ କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ ଅଛନ୍ତି। ଏଥର ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।  ପହଲଗାଓଁସ୍ଥିତ ବୈସରନରେ ଗୁଳିମାଡ଼ ହୋଇଛି। ଲସ୍କର ସଂଗଠନର ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ବିଦେଶୀ ପର୍ଯ୍ୟଟକ। ସାଉଦିଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଫେରିଛନ୍ତି । ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସେ ସ୍ଥିତି ସମୀକ୍ଷା କରିବେ। ସେହିପରି ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବି ଫେରିଆସିବେ ବୋଲି ସୂଚନା ମିଳିଛି।

ଗତକାଲି ଅପରାହ୍ଣ ୨ଟା ୩୦ରେ ହଠାତ୍ ନିରୀହ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ। ଶ୍ରୀନଗରଠାରୁ ୮୯ କିଲୋମିଟର ଦୂରରେ ହୋଇଥିଲା ଆକ୍ରମଣ । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରେ ଶ୍ରୀନଗର ଯାଇ ସ୍ଥିତି ସମୀକ୍ଷା କରିଥିଲେ ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏଥିରେ କେନ୍ଦ୍ର ଗୃହ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଆହତଙ୍କୁ ଶୀଘ୍ର ଚିକତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅମିତ ଶାହା । ସରକାରଙ୍କ ପକ୍ଷରୁ  ହେଲପଲାଇନ ନମ୍ବର 9596777669/01932225870 ଜାରି କରାଯାଇଛି ।  ଏକ ହ୍ବାଟସଆପ ନମ୍ବର- 9419051940 ମଧ୍ୟ ଜାରି ହୋଇଛି । ଆକ୍ରମଣ ପରେ ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକ ଉପରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ରହିଛି । ନର୍ଦ୍ଦନ ଆର୍ମି କମାଣ୍ଡରଙ୍କ ଜାମୁ କାଶ୍ମୀର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣା ସ୍ଥଳରେ ବିଏସଏଫ୍, ସିଆରପିଏଫ୍ ଏବଂ କ୍ୟୁଏଟିର ସର୍ଚ୍ଚ ଅପରେସନ୍ ଜାରି ରହିଛି ।