ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୨୬ ମୃତ, ଅନେକ ଆହତ
1 min read
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ବର୍ବର ଆତଙ୍କବାଦୀ ହମଲା। ଆଖିବୁଜା ଗୁଳିମାଡରେ ପ୍ରାଣ ହରାଇଛନ୍ତି ୨୬ରୁ ଅଧିକ ପର୍ଯ୍ୟଟକ। ଅନେକ ଆହତ ହୋଇଛନ୍ତି । ପହଲଗାଓଁସ୍ଥିତ ବୈସରନ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଟ୍ରେକିଂ ଟ୍ରିପରେ ଯାଇଥିବା ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଛି। ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଥିବା ସୂଚନା। ଲସ୍କର ସଂଗଠନର ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ ହମଲା ହୋଇଛି। ହମଲା ବେଳେ ସାମରିକ ବାହିନୀର ପୋଷାକ ପିନ୍ଧିଥିଲେ ଆତଙ୍କବାଦୀ। ଘଟଣାସ୍ଥଳରେ ନିରାପତ୍ତା ରକ୍ଷୀ ମୁତୟନ କରାଯାଇଛି। ଏନେଇ ହେଲପଲାଇନ ନମ୍ବର ଜାରି ହୋଇଛି। ତାହା ହେଲା 959-677-766-9 ଓ 019-322-25-870। ହ୍ବାଟସଆପ ନମ୍ବର- 94-1905-1940। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍ଥିତି ସମୀକ୍ଷା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପର୍ଯ୍ଯଟକମାନେ ବୈସରନ ଅଞ୍ଚଳରେ ଥିବାବେଳେ ସେମାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କୀ। ଏହି ଘଟଣା ପରେ ସାରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ହମଲା ଲାଗି ନିଜକୁ ଦାୟୀ କରିଛି ଲସ୍କର ସଂଗଠନରେ ଟିଆରଏଫ ବାହିନୀ। ପହଲଗାଓଁ ହିଲ୍ ଷ୍ଟେସନରୁ ୫ କିଲୋମିଟର ଦୂର ବୈସରାମ ମିଡୋରେ ଏହି ହମଲା ହୋଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଗୁଳିକାଣ୍ଡକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିନ୍ଦା କରିଛନ୍ତି।