୧ ଲକ୍ଷ ଟଙ୍କା ପାର କଲା ସୁନାଦର, ଗହଣା ଦୋକାନରେ ବେପାର ମାନ୍ଦା

ନନ୍ଦିଘୋଷ ବ୍ୟୁରୋ : ରେକର୍ଡ କଲା ସୁନାଦର । ଦୁଇ ସପ୍ତାହ ତଳେ ୨୪ କ୍ୟାରେଟ୍ ୧୦ ଗ୍ରାମକୁ ଥିଲା ୯୫ ହଜାର ୪୦୦ ଟଙ୍କା । ଆଜି ପାର୍ କଲା ୧ ଲକ୍ଷ ଟଙ୍କା । ହୁ ହୁ ହୋଇ ବଢୁଛି ସୁନାଦର । ଦୋକାନୀ ଓ ପୁଞ୍ଜି ନିବେଶକାରୀଙ୍କ ଚାନ୍ଦି ହିଁ ଚାନ୍ଦି । ଗ୍ରାହକ କପାଳରେ ଚଡ଼କ । ଆଗକୁ ଆହୁରି ବଢିବ ଦର । ମେ ମାସ ବେଳକୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଛୁଇଁପାରେ ୧ ଲକ୍ଷ ୧୦ ହଜାର ଟଙ୍କା । ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨ ହଜାର ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୯୨ ହଜାର ୯୦୦ ଟଙ୍କା ରହିଛି । ବ୍ରହ୍ମପୁରରେ ୨୪ କ୍ୟାରେଟ୍ ୧ ଲକ୍ଷ ୧ ହଜାର ୧୩୫ ଟଙ୍କା । ୨୨ କ୍ୟାରେଟ୍ ୯୨ ହଜାର ୯୦ । ବାଲେଶ୍ବରରେ ଦରରେ ଟିକିଏ କମବେଶୀ ରହିଛି । ସୁନା କମିଲେ ପୁଅଝିଅ ବାହାଘର ପାଇଁ ଗହଣା କିଣିବେ ଗ୍ରାହକ । କିନ୍ତୁ କମିବ କଣ ଦର ରକେଟ୍ ଭଳି ବଢିବା ପରେ ଏବେ ମୁଣ୍ଡରେ ହାତଦେଲେଣି । ଏବେ ବାହାଘର ଓ ବ୍ରତଘର ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ସେପଟେ ଦର ଅଧିକ ବଢୁଥିବାରୁ ଗହଣା ଦୋକାନୀଙ୍କ ବେପାର ବି ମାନ୍ଦା ।
ବ୍ୟବସାୟୀ ଓ ଆର୍ଥିକ ବିଶେଷଜ୍ଞଙ୍କ ମତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ସୁନାଦରରେ ଅହେତୁକ ବୃଦ୍ଧି ଘଟିଛି । ଏହାସହିତ ନିବେଶକାରୀମାନେ ବଢୁଥିବା ସୁନାଦରକୁ ଦେଖି ଆଗୁଆ ସୁନା ବୁକିଂ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଲଗାଣର ପ୍ରଭାବ ସିଧା ସୁନା ଉପରେ ପଡ଼ିଛି । ଚାହିଦା ତୁଳନାରେ ଯୋଗାଣ କମ୍ ରହୁଥିବାରୁ ସୁନାଦର ହୁ ହୁ ବୋଇ ବଢିଚାଲିଛି । ଏହାସହିତ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ, ଚୀନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଟନ୍ ଟନ୍ ସୁନା କିଣି ଗଚ୍ଛିତ ରଖୁଛନ୍ତି । ଡଲାର ଅସ୍ଥିରତା ଓ ସେୟାର ବଜାରର ସ୍ଥିତି ମାନ୍ଦା ଚାଲୁଥିବାରୁ ସୁନା କିଣିବାକୁ ଲୋକଙ୍କ ଆଗ୍ରହ ବଢୁଛି । ନିବେଶକାରୀମାନେ ଏବେ ସୁରକ୍ଷିତ ଭାବେ ଗୋଲ୍ଡ ଇଟିଏଫ୍ରେ ପୁଞ୍ଜି ନିବେଶ କରିବା ସହିତ ବାସ୍ତବ ସୁନାରେ ବେଶୀ ଟଙ୍କା ବିନିଯୋଗ କରୁଛନ୍ତି । ଯାହାକି ସେମାନଙ୍କୁ ସ୍ବଳ୍ପ ଅବଧିରେ ଅଧିକ ରିଟର୍ଣ୍ଣ ଦେଉଛି । ଭାରତରେ ସୁନାର ଚାହିଦା କମିବନି । କେନ୍ଦ୍ର ସରକାର ସୁନା ଉପରେ ୩ ପ୍ରତିଶତ ଜିଏସ୍ଟି ନେଉଛନ୍ତି । ହିସାବ କଲେ ଜଣେ ଗ୍ରାହକ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଗହଣା କିଣିଲେ ଜିଏସ୍ଟି ଓ ଗଢା ମଜୁରି ମିଶିଲେ ଦେବାକୁ ପଡ଼ିବ ପ୍ରାୟ ୧ ଲକ୍ଷ ୧୯ ହଜାର ଟଙ୍କା ।