ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଜଙ୍ଗଲୀ ଶାସନ । ଅତିଷ୍ଠ ଆଦିବାସୀ । ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ । ଆନ୍ଧ୍ର ପଶିଲେଣି ଶରଣ । ନିଜଘରେ ହତାଦର ଯୋଗୁ ପରଘରକୁ ମାଗିଲେ ଆଶ୍ରୟ । ବିଜେପି ସରକାରର ଅପାରଗତା ଯୋଗୁ ନିଜ ମାଟି ପ୍ରତି ମୋହ ତୁଟାଇ ଦେଲେଣି ଲୋକେ । ଯାହାକୁ ନେଇ ରାଜ୍ୟ ଉଠୁଛି ପଡୁଛି। କୋଟିଆ ଅଞ୍ଚଳର ଧୂଳିପଦର, ନେରିଡିବାଲସା ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ସେମାନଙ୍କୁ ଆନ୍ଧ୍ର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିଛନ୍ତି । ଏହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଆ ଅସ୍ମିତା ପରିଷଦ। କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ କରି ହସ୍ତକ୍ଷେପ କରିବାକୁ ଦାବି ରଖିଛି ପରିଷଦ । ପୂର୍ବ ସରକାର ସମୟରେ କୋଟିଆକୁ ପ୍ରାଧାନ୍ୟ ଦିଆଯାଇଥିଲା । ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ହେଲେ ଏବେ ଅବହେଳିତ ଏହି ଅଞ୍ଚଳ । ଯାହାକୁ ନେଇ ବର୍ଷିଛି ଓଡ଼ିଆ ଅସ୍ମିତା ପରିଷଦ । ସେପଟେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଏଯାଏଁ କାହିଁକି ଉଦାସୀନ ବୋଲି ପ୍ରଶ୍ନ କରିଛି ଉତ୍କଳ ସମ୍ମିଳନୀ।
ପ୍ରଥମଥର ପାଇଁ ରାଜ୍ୟରେ ଏଭଳି ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି ବିଜେଡି । ଓଡ଼ିଶା ସରକାର କିଭଳି ଭାବେ କୋଟିଆବାସୀଙ୍କ ସହ ଆଚରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି। ଯେଉଁଥିପାଇଁ ଗ୍ରାମବାସୀ ଓଡ଼ିଶା ଛାଡିବାକୁ ବସିଲେଣି । ଯଦି ସ୍ୱତଃପ୍ରବୃତ୍ତ ଭାବେ ଅନ୍ୟ ରାଜ୍ୟରେ ଲୋକେ ମିଶିବାକୁ ଚାହିଁବେ ସେମାନଙ୍କୁ ଆଉ ଅଟକାଯାଇପାରିବ ନାହିଁ। ପୂର୍ବ ସରକାର ସମୟରେ ୧୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ବିକାଶ ଗୋଟିଏ ଇଞ୍ଚ ବଢିନାହିଁ। ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ । ଭୁବନେଶ୍ୱରର ଏସି ରୁମରେ ନୁହେଁ ଗ୍ରାଉଣ୍ଡ ଜିରୋ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଦାବି ହୋଇଛି । ସେପଟେ ନାଗରିକ ସୁରକ୍ଷା ମଞ୍ଚ ଏ ପ୍ରସଙ୍ଗରେ ସରକାରଙ୍କୁ କଡା ଚେତାବନୀ ଦେଇଛି। ସେପଟେ କୋଟିଆ ଅଂଚଳ ଛାତ୍ରଛାତ୍ରୀଙ୍କର ଅପାର କାର୍ଡ ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି । ଏହା ଆନ୍ଧ୍ର ସରକାରଙ୍କର କୋଟିଆ ହାତେଇବା ପାଇଁ ଆଉ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ବଡ଼ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏସବୁ ଉପରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।