ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି ?

ଖୋର୍ଦ୍ଧା : ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି । ଆସନ୍ତା ୨୪ ତାରିଖରେ ସରକାର ନୂଆ ରାସନକାର୍ଡ ବାଣ୍ଟିବାକୁ ଘୋଷଣା କରିଥିବା ବେଳେ ଏବେ ଏଭଳି ପ୍ରଶ୍ନ ଉଠିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ୨୪ ତାରିଖରେ ମାତ୍ର ୬ଜଣଙ୍କୁ କାର୍ଡଧାରୀଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହାକୁ ନେଇ ବୋଲଗଡ ବ୍ଲକରେ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରେ ୩୦୦୦ରୁ ଅଧିକ ଆବେଦନ ପତ୍ର ପଡ଼ିଛି । ସେଥିମଧ୍ୟରୁ ୧୪୦୦ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା ୨୪ ତାରିଖରେ ମାତ୍ର ୬ଜଣଙ୍କୁ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ନେଇ ସାରା ବ୍ଲକରେ ଅସନ୍ତୋଷ ଦେଖାଦେଇଛି। ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏକାଠି ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ସେମାନେ ବ୍ଲକ ସମ୍ମିଳନୀ କକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ।

ବୋଲଗଡ଼ରେ ପଞ୍ଚାୟତ ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିବା ସହ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ଯାଞ୍ଚ ହୋଇନଥିବା ଦରଖାସ୍ତକୁ ତୁରନ୍ତ ଯାଞ୍ଚ କରାଯାଉ ।  ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର ନୀତି ପାଳନ କଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ପ୍ରଦୀପ କୁମାର ସାହୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନରେ କେତେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି ତାଉପରେ ବୋଲଗଡ଼ ବ୍ଲକ ସମେତ ସମଗ୍ର ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।