ଲିଫ୍ଟ ପରିଚାଳନା ନାଁରେ ମହାଦୁର୍ନୀତି ଅଭିଯୋଗ

1 min read

ବ୍ରହ୍ମପୁର : ସମସ୍ୟାବହୁଳ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲ । ଲିଫ୍ଟ ପରିଚାଳନାରେ ମହାଦୁର୍ନୀତି ଅଭିଯୋଗ । ରକ୍ଷଣାବେକ୍ଷଣା ପାଇଁ ବର୍ଷକୁ ପ୍ରାୟ ୭୦ ଲକ୍ଷ ଟଙ୍କାର ହେଉଛି ବିଲ୍ । କିନ୍ତୁ ବର୍ଷରେ ଅଧାଦିନ ରୋଗୀଙ୍କୁ ବୋହି ନେବାକୁ ପଡୁଛି । ଯନ୍ତ୍ରାଂଶ ମିଳୁନଥିବା ଦର୍ଶାଇ ଠିକା ସଂସ୍ଥା ଅଚଳ ଲିଫ୍ଟ ମରମତି କରିବାରେ ଦିନ ଗଡ଼ାଉଛନ୍ତି । ହେଲେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେବଳ ନୋଟିସ୍ କରି କୈଫିୟତ ମଗାଯାଇ ଚୁପ ବସୁଥିବା ଦେଖିବାକୁ ମିଳୁଛି । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । କାଜୁଆଲ୍ଟି ଓ ଅଇସିୟୁ ଭଳି ଜରୁରିକାଳୀନ ବିଭାଗରେ ମଧ୍ଯ କାମ କରୁନି ଲିଫ୍ଟ ।

MKCG ମେଡିକାଲରେ ବହୁତଳ ବିଶିଷ୍ଟ କୋଠାରେ ରୋଗୀଙ୍କୁ ସୁରକ୍ଷିତ ନେବାଆଣିବା ପାଇଁ ୩୨ଟି ଲିଫ୍ଟ ଥିବା ବେଳେ ଏହାର ସୁପରିଚାଳନା ପାଇଁ ୩୬ ଜଣ ଅପରେଟର ନିଯୁକ୍ତି ହୋଇଛନ୍ତି । କର୍ମଚାରୀ ଦରମା ବାବଦରେ ପ୍ରାୟ ୫୦ଲକ୍ଷ ଟଙ୍କା ବିଲ୍ ହେଉଛି । ମରାମତି ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମରାମତି ନାଁରେ ଏବଂ ପରିଚାଳନା ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଅଭିଯୋଗ ସମୟରେ ଅପରେଟର ନଥିବା ଦେଖିବାକୁ ମିଳୁଛି । ସେପଟେ ଏନେଇ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସପିଟାଲ ଡିନ୍ ।