ନୀରବି ଯାଇଛି ପୂରା ପରିବେଶ, ସ୍ତବ୍ଧ ପାଲଟିଯାଇଛି ରତନପୁର

ପିପିଲି : ଝୁରୁଛି ଗାଁ ଦାଣ୍ଡ । ନୀରବି ଯାଇଛି ପୂରା ପରିବେଶ । ସ୍ତବ୍ଧ ପାଲଟିଯାଇଛି ରତନପୁର । କାନ୍ଦୁଛି ଆଶୀର୍ବାଦର ଆତ୍ମା, ପଚାରୁଛି ମୋର ଦୋଷ କଣ ଥିଲା ? ମୋ ହତ୍ଯାକାରୀକୁ ଦଣ୍ଡ ଦେବେନି କି ସରକାର ? ଏ ହେଉଛି ୧୧ ବର୍ଷୀୟ ବାଳକ ମୃତ୍ଯୁ ପରର ଦୃଶ୍ଯ । ଆର୍ଶୀବାଦ ବାପା ମାନସ ପାଲଟି ଯାଇଛନ୍ତି ଜୀଅନ୍ତା ଶବ । ମା, ବୁଢ଼ୀ ମା କଥା ନ କହିଲେ ଭଲ । ପୁଅର ଜୁଇ ର ନିଆଁ ଲିଭି ଲିଭି ଆସୁଥିଲା ବେଳେ ଏବେ ଆର୍ଶୀବାଦଙ୍କ ପରିବାର ଓ ଗାଁ ଲୋକଙ୍କ ମନରେ କୁହୁଳୁଛି ନିଆଁ । କାହାରି ଘରେ ଜଳୁ ନାହିଁ ଚୁଲି,। ଆର୍ଶୀବାଦ ପାଇଁ ଖାଁ ଖାଁ ଗାଁ ଖେଳ ପଡିଆ । ଆର୍ଶୀବାଦ ସହିତ ଖେଳୁଥିବା ସାଙ୍ଗ ଓ ଗାଁରେ କିଛି ଦିନ ତଳେ ନାଚିଥିବା ନାଚକୁ ଭୁଲି ପାରୁ ନାହାଁନ୍ତି କେହି । ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଆର୍ଶୀବାଦର ଦୋଷ କଣ ଥିଲା ।
ପୁଅ କଲେକ୍ଟର ହେବ ଗାଁ ଦାଣ୍ତକୁ ଆସି ନାଲିବତୀ ଗାଡିରେ ଓହ୍ଲାଇବ, ଏମିତି କିଛି ଆଶା ବାନ୍ଧି ବସିଥିଲେ ଆର୍ଶୀବାଦଙ୍କ ପରିବାର ଲୋକେ । କିଏ ଜାଣିଥିଲା ଏଭଳି ସ୍ଵପ୍ନକୁ ଭାଙ୍ଗି ଚୁରମାର କରି ଦେଵ ଦଇବ । କାଳବୈଶାଖୀ ନୁହେଁ ସତେ ଯେମିତି ଆର୍ଶୀବାଦର କାଳ ହୋଇ ଆସିଥିଲା କାଳବୈଶାଖୀ । ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ଆସିଥିବା କାଳବୈଶାଖୀ ଆର୍ଶୀବାଦ ଓ ତାଙ୍କ ପରିବାର ପାଇଁ ଆଣି ଦେଇଥିଲା କାଳଦିନ । ନିଖୋଜର ଛଅ ଦିନ ପରେ ଆର୍ଶୀବାଦର ଗଳିତ ଶବକୁ ଉଦ୍ଧାର କରିଥିଲା ପୋଲିସ । ଆର୍ଶୀବାଦର ହତ୍ୟାକାରୀକୁ ପୋଲିସ ଗିରଫ କରିଥିବା ବେଳେ, ହତ୍ଯାକାଣ୍ଡ ପଛରେ ବ୍ଯବସାୟିକ ଶତ୍ରୁତା ବୋଲି କହି ତଦନ୍ତ କରୁଛି । କିନ୍ତୁ ଅଭିଯୁକ୍ତ ବାପି ସାହୁ ଗତ ୪ ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ୟବସାୟ କରୁ ନଥିଲା ବେଳ। ଅଭିଯୁକ୍ତ ସହିତ ବ୍ୟବସାୟିକ ଶତ୍ରୁତା ନଥିବା କହିଛନ୍ତି ଆର୍ଶୀବାଦର ଜେଜେ ମା । ଆଶୀର୍ବାଦର ହତ୍ଯାକାରୀକୁ କେବେ ଦଣ୍ଡ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।