ଠିକ ଅମଳ ସମୟରେ କାଳବୈଶାଖୀ ଉଜାଡିଦେଲା ଫସଲ

ବାଙ୍କୀ : କ୍ଷେତରେ ଲୋଟି ଯାଇଛି ଧାନ କେଣ୍ଡା । ବର୍ଷା ପାଣିରେ ଭିଜୁଛି କଞ୍ଚା ଧାନ । ପାଣିରୁ ଛାଣି ଧାନକୁ ଟେକି ଧରୁଛି ଚଷା ପୁଅ । ଅଦିନିଆ କାଳବୈଶାଖୀ ବର୍ଷା ଏମିତି ଦୁଃଖ ଦେଇଛି ଯାହାକୁ ଭାବି ଭାବି ଆଖିର ନିଦ ହଜାଇ ଦେଲେଣି ଚାଷୀ । ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର, ବାଆଁରା ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଅଦିନିଆ କାଳବୈଶାଖୀ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଡମପଡା ବ୍ଲକରେ ରବି ଋତୁରେ ୩ ହଜାର ୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିଏ ୧୦ ଦିନ ପରେ ତ କିଏ ୧୫ ଦିନ ପରେ ଧାନ ଅମଳ କରିଥାନ୍ତେ । ହେଲେ କାଳବୈଶାଖୀ ବର୍ଷା ସବୁ ନଷ୍ଟ କରିଦେଲା ।

ଧାନ ପାଣିରେ ବୁଡି ଗଜାକୁ ହେବାକୁ ବସିଥିବା ବେଳେ କିଛି ଚାଷୀ ତରତର ହୋଇ ଧାନ କାଟି ଅମଳ କରିବାରେ ଲାଗିପଡିଛନ୍ତି । ହେଲେ ଅନେକଙ୍କ ଧାନ ଏବେବି ପାଣିରେ ପଡି ରହିଛି । ହେଲେ ଏବେ ସୁଦ୍ଧା ଚାଷୀଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୃଷି ବିଭାଗ କର୍ମଚାରୀ କ୍ଷେତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି । ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି । ଧାନ କ୍ଷୟକ୍ଷତିର ଆକଳନ ନିମନ୍ତେ ତହସିଲ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିଲା ପରେ କ୍ଷତିପୂରଣ ଦିଆଯିବ । ତେବେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କେବେ କାର୍ଯ୍ୟକାରୀ ହେଉଛି ଓ ଚାଷୀ ମାନେ କେବେ କ୍ଷତିପୂରଣ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।