ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କେବେ କଢାଯିବ ବାଲି ?

କୋଣାର୍କ : ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ଯିବା ଲାଗି ୩ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା । ଆଜିକୁ ଅଢ଼େଇ ବର୍ଷ ବିତିଗଲାଣି । ସମୟ ସୀମା ସରି ଆସୁଥିବା ବେଳେ ଏବେ ସୂର୍ଯ୍ୟମନ୍ଦିରରୁ ବାଲି କଢା ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ । କେବେ ଗର୍ଭଗୃହରୁ ବାଲି ବାହାରିବ ଓ କେବେ ଖୋଲାଯିବ ଜଗମୋହନ ଦ୍ଵାର ତାକୁ ନେଇ ଦେଖାଦେଇଛି ଆଶଙ୍କା । କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ତୁରନ୍ତ ବାଲି କାଢିବା ପାଇଁ ଦାବି କରାଯାଉଥିବା ବେଳେ ନିରାଶ ହୋଇପଡିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ।
୮ ସେପ୍ଟେମ୍ବର ୨୦୨୨ ରେ ଏଏସ୍ଆଇ ଓ ବିଡିଆର୍ ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ବାଲି କାଢ଼ିବା ଲାଗି ଶୁଭ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗା ଯାଇଥିଲା । ପରେ ଟନେଲ୍ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଉଟ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିଭଳି ଦକ୍ଷିଣ ପାର୍ଶ୍ଵରେ ଲୁହା ବିମ୍ ସାହାଯ୍ୟରେ ମନ୍ଦିର ଚୂଡ଼ାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି । ଏହି ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡ଼ିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ । ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ ବୋଲି ଏଏସ୍ଆଇ ସୂଚନା ଦେଇଥିଲା । ହେଲେ ଏବେ କାମ ବନ୍ଦ ରହିଛି । ଏନେଇ ପୁରୀ ସର୍କଲ ଏ ଏସ ଆଇ ସୁପରଟେଣ୍ଡେଣ୍ଟ କହିଛନ୍ତି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଲି କଢ଼ାଯିବା ପାଇଁ ଦିଲ୍ଲୀ ଏ ଏସ ଆଇ ଅଫିସରୁ ନିର୍ଦ୍ଦେଶ ଆସିଲେ ବାଲି କଢ଼ାଯିବ ।