ଆନ୍ଧ୍ର ଅଧୀନରେ ରହିବାକୁ ଦାବି କଲେ ଧୂଳିପଦର, ନେରିଡିବାଲସା ଓ ତାଡିବାଲସା ଗାଁର ଶତାଧିକ ଲୋକ

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ସଙ୍ଗୀନ ପରିସ୍ଥିତି । ଆନ୍ଧ୍ର ଅଧୀନରେ ରହିବାକୁ ଦାବି କଲେଣି କୋଟିଆବାସୀ । କୋଟିଆ ପଞ୍ଚାୟତର ଧୂଳିପଦର, ନେରିଡିବାଲସା ଓ ତାଡିବାଲସା ଗାଁର ଶତାଧିକ ଲୋକ ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରାଙ୍କୁ ତାଙ୍କ ବାସଭବନରେ ଭେଟି ଏହି ଦାବି ରଖିଛନ୍ତି । ଯାହା ଓଡ଼ିଶାର ଉଦବେଗ ବଢାଇଛି । ଦୁଇ ରାଜ୍ୟର ବିବାଦ ଭିତରେ ରହି ସେମାନେ ଅନେକ ନିର୍ଯାତନା ପାଇଲେଣି । କଣ ପରିଚୟ ଦେବୁ ଜାଣିପାରୁନୁ । ତେଣୁ ଆନ୍ଧ୍ରର ସମ୍ପୂର୍ଣ୍ଣ ପରିଚୟ ଲାଗି ଗାଁଲୋକେ ପିଡିକା ରାଜନା ଦୋରାଙ୍କୁ ନିବେଦନ କରିଛନ୍ତି । ଗାଁ ଲୋକଙ୍କ ଦାବି ପରେ ପୂର୍ବତନ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ସୀମାନ୍ତ ଗ୍ରାମବାସୀଙ୍କ ଦାବି ନିହାତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଦୋରା କହିଛନ୍ତି । ଏହାକୁ ନେଇ ଏପଟେ ଓଡ଼ିଶା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।