ଲଙ୍କା ପାଉଡର ପକାଇ ଛୁରୀ ଭୁଶି ଡିଜିପି ସ୍ୱାମୀଙ୍କୁ ନିର୍ମମ ହତ୍ୟା କଲେ ସ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ : ଆଖିରେ ଲଙ୍କାଗୁଣ୍ଡ ପକାଇ ସ୍ୱାମୀଙ୍କୁ ହତ୍ୟା କରିଥିଲେ ପତ୍ନୀ ! କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ହତ୍ୟା ଘଟଣାରେ ନୂଆ ଖୁଲାସା ସାମ୍ନାକୁ ଆସିଛି । ଡିଜିପି ସ୍ୱାମୀଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ ଏହି କଥାର ସତ୍ୟତା ଜାଣିବା ପାଇଁ ଏବେ ପ୍ରମାଣ ଖୋଜୁଛି ପୋଲିସ ।
ରବିବାର କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ଶରୀରରେ ଅନେକଥର ଛୁରୀରେ ଆକ୍ରମଣ ହୋଇଥିବା ପୋଲିସ କହିଛି । ଘଟଣା ସମୟରେ ଘରେ ତାଙ୍କ ପତ୍ନୀ ଏବଂ ଝିଅ ଉପସ୍ଥିତ ଥିବା ଯୋଗୁଁ ପୋଲିସ ତାଙ୍କୁ ଅଟକ ନେଇ ରଖି ପଚରାଉଚରା କରୁଛି । ଅନ୍ୟପଟେ ପତ୍ନୀଙ୍କ ମାନସିକ ସନ୍ତୁଳନ ଠିକ୍ ନଥିବା ନେଇ ପୋଲିସ ସନ୍ଦେହ କରୁଛି ।
୧୯୮୧ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ଓମ୍ ପ୍ରକାଶ । ସୂଚନା ଅନୁସାରେ, ପ୍ରବଳ ଯୁକ୍ତିତର୍କ ଏବଂ ଝଗଡ଼ା ପରେ ପଲ୍ଲବୀ ଓମ୍ ପ୍ରକାଶଙ୍କ ମୁହଁକୁ ଲଙ୍କା ପାଉଡର ଫିଙ୍ଗି ଥିଲେ, ଯେତେବେଳେ ସେ ଜଳାପୋଡାରେ ଛଟପଟ ହେଉଥିଲେ ସେତେବେଳେ, ପତ୍ନୀ ପଲ୍ଲବୀ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥଲେ , ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେ ତାଙ୍କ ବନ୍ଧୁଙ୍କୁ ଏକ ଭିଡିଓ କଲ୍ କରି କହିଥିଲେ, ମୁଁ ରାକ୍ଷସକୁ ମାରି ଦେଇଛି । ହେଲେ ଏବେ ଏହି ଘଟଣା ନେଇ ଅଧିକ ତଦନ୍ତ କରୁଛି ପୋଲିସ ।
ପୋଲିସ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ବାରମ୍ୱାର ଝଗଡ଼ା ଲାଗିରହୁଥିଲା । ଯାହା ହତ୍ୟାର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୂର୍ବରୁ କିଛି ମାକସ ତଳେ ଏକ ସମ୍ପତ୍ତି ବିବାଦ ନେଇ ପଲ୍ଲବୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ପୋଲିସ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ, ଏହା ପରେ ସେ ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ । ଏହାଛଡା ସେ ସ୍କିଜୋଫ୍ରେନିଆ ରୋଗରେ ପୀଡିତ ଥିଲେ ଏବଂ ଏହା ପାଇଁ ଔଷଧ ମଧ୍ୟ ଖାଉଥିବା ଜଣା ପଡିଛି ।