ଆମେରିକାରେ ତେଜୁଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ତୀବ୍ର ହେଉଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍ ଯୁଦ୍ଧ ନୀତି ବିରୋଧରେ ଓ୍ବାଶିଂଟନ୍, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହ୍ବାଇଟ୍ ହାଉସ୍ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି। ତାଙ୍କ କଠୋର ନୀତି ବିରୋଧରେ ଲୋକେ ଦ୍ୱିତୀୟ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ନ୍ୟୁୟର୍କରେ ପ୍ରଦର୍ଶନକରୀମାନେ ସହରର ମୁଖ୍ୟ ପାଠାଗାର ବାହରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ ସ୍ଲୋଗାନ ଲେଖାଥିବା ପୋଷ୍ଟର ଥିଲା । ‘ଟ୍ରମ୍ପ ଆମେରିକାର ରାଜା ନୁହନ୍ତି’ , ‘ଏକଛତ୍ରବାଦ ଚଳିବ ନାହିଁ’ ଏହିପରି ଲେଖାଥିବା ପୋଷ୍ଟର ଧରି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।