ବିଜେପି ସରକାରଙ୍କ ଶାସନରେ ଅଣନିଃଶ୍ବାସୀ କି ସରକାରୀ ବାବୁ ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଇଏଏସ ମରୁଡି ଦେଖା ଦେଇଥିବା ବେଳେ ଦକ୍ଷ ଅଫିସରମାନେ ଓଡ଼ିଶା ଛାଡୁଛନ୍ତି । ୧୦ ମାସରେ ମୋହନ ସରକାରରେ ସିଏମଓରୁ ୨ ଜଣ ଚର୍ଚ୍ଚିତ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇ ଦିଆଯିବା ପରେ ପାଓ୍ବାର କରିଡରରେ ହଲଚଲ ସୃଷ୍ଟି ହୋଇଛି । ସରକାର ଠିକ ଚାଲୁ ନଥିବାରୁ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ଓଡିଶା ଛାଡ଼ିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଆଇଏଏସ ସଙ୍କଟ ଥିବା ବେଳେ ବିଜେପି ଶାସନର ୧୦ ମାସରେ ଦକ୍ଷ ଅଧିକାରୀମାନେ ଓଡିଶା ଛାଡୁଛନ୍ତି । ଶାସନ କଳରେ ଯେତିକି ସଂଖ୍ୟକ ଅଫିସର ଦରକାର, ତା’ଠାରୁ କମ ସଂଖ୍ୟକ ଅଧିକାରୀରେ ଚାଲିଛି କାମ । ଏହାରି ଭିତରେ ବିଜେପି ସରକାରଙ୍କ ଶାସନରେ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି ସରକାରୀ ବାବୁ । ସବୁଠାରୁ ବଡ଼ କଥା ହେଉଛି ସିଏମଓରୁ ୨ ଜଣ ଚର୍ଚ୍ଚିତ ଅଧିକାରୀ ଅନ୍ୟ ସ୍ଥାନକୁ ବଦଳି ହେବା କଥା ହଜମ ହେଉନି । ରାଜ୍ୟ ସରକାରଙ୍କ ଗୁଡ ବୁକରେ ଥିବା ଅଧିକାରୀଙ୍କୁ ହଠାତ କାହିଁକି ସିଏମଓରୁ ହଟାଇ ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠଛି । ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି, ସରକାର ଠିକ ସେ ଚାଲୁ ନଥିବାରୁ ଅଫିସରମାନେ ଠିକସେ କାମ କରିପାରୁନାହାଁନ୍ତି । ସରକାରୀ କଳରେ ବହୁ ଅଧିକାରୀ ପଦ ଖାଲିପଡ଼ିଥିବା ବେଳେ ଅଫିସରମାନେ ସ୍ବେଚ୍ଛାକୃତ ଅବସର ନେବା, ଡେପୁଟେସନକୁ ଯିବା ମୋହନ ସରକାର ବିଫଳତାକୁ ପଦାରେ ପକାଇଛି । ସରକାର ଏଥିରୁ ଚେତିଯିବା ଦରକାର ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।

ରାଜ୍ୟରେ ୬୬ ଆଇଏଏସ ଓ ୬୯ ଆଇପିଏସ ପଦବୀ ଖାଲି ପଡିଛି । ରାଜ୍ୟରେ ୨୪୮ଟି ଆଇଏଏସ ପଦବୀ ପାଇଁ ଅନୁମୋଦନ ମିଳିଥିବା ବେଳେ ୧୮୧ ଜଣ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକ ପରେ ଜଣେ କେନ୍ଦ୍ରୀୟ ଡେପୁଟସନକୁ ଯିବା ପରେ ରାଜ୍ୟରେ ପ୍ରଶାସନିକ କଳ ଉପରେ ଚାପ ସୃଷ୍ଟି ହୋଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ରାଜ୍ୟରେ ଶାସନ ଚାଲିଛି ବୋଲି ଲୋକେ ଅନୁଭବ କରିପାରୁନାହାନ୍ତି । ସରକାରୀ ଅଧିକାରୀମାନେ ସରକାରଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ଅଛନ୍ତି । ଫଳରେ ଓଡ଼ିଶା କ୍ୟାଡର ଅଧିକାରୀମାନେ ଓଡିଶା ଛାଡିବାକୁ ବାଧ୍ୟ ହେଉଛନ୍ତି । ୧୦ ମାସ ମଧ୍ୟରେ ୨ଜଣ ଓଡିଆ ଅଧିକାରୀ ସରକାରରୁ ବଦଳି ହେବା ଓଡିଆ ଅସ୍ମିତା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେହିପରି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ବିଜେପି ବିଧାୟକ ସରୋଜ ପାଢି ପ୍ରସଙ୍ଗକୁ ନେଇ ବିତଣ୍ଡା ଯୁକ୍ତି ବାଢିଛନ୍ତି ।

ଆଇଏଏସ ନୁହେଁ, ୧୦ ମାସ ମଧ୍ୟରେ ବହୁ ଆଇପିଏସ ଅଫିସରଙ୍କୁ ମଧ୍ୟ ବାରମ୍ବାର ବଦଳି କରାଯାଉଛି । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଦୁଇ ବିରୋଧୀ ।