ଘରୋଇ କମ୍ପାନୀ ଦେଉଛନ୍ତି ରିହାତି, ଲୁଟିବାରେ ବ୍ଯସ୍ତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ: ବିଚିତ୍ର ସ୍ଥିତି ସୃଷ୍ଟି କଲେଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଅଶୋଧିତ ତୈଳ ଦର କମି ୬୦ ଡଲାରରୁ ୭୦ ଡଲାର ଭିତରେ ରହୁଛି । ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମାଉ ନାହାନ୍ତି । ସେପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିଲାଏନ୍ସର ଜିଓ ଟାଙ୍କିରେ ଅଫର ଚାଲିଛି । ଡିଜେଲ ଲିଟର ପିଛା ୩ ଟଙ୍କା ରିହାତି ଘୋଷଣା କରିଛନ୍ତି । ଯାହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଖୁଚୁରା ବେପାରକୁ ପ୍ରଭାବିତ କଲାଣି । ନା କେନ୍ଦ୍ର ସରକାର ମୁଣ୍ଡ ପୂରାଉଛନ୍ତି ନା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଖାତିର ଅଛି ବୋଲି ଅଭିଯୋଗ କରିଛି ଡିଲର ଆସୋସିଏସନ୍ । ପୁଳା ପୁଳା ଟିକସରେ ଭରି ଯାଉଛି ଟ୍ରେଜେରୀ । ସେପଟେ ଶୀଘ୍ର କିଲୋ ପିଛା ୨ଟଙ୍କାରୁ ୪ ଟଙ୍କା ବଢିବାକୁ ଯାଉଛି ସିଏନଜି ଗ୍ୟାସ ଦର ।

ସାଧାରଣ ଖାଉଟିଙ୍କ ପାଇଁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ରିହାତି ନାହିଁ । କୁଆଡ଼େ ଗଲା ପେଟ୍ରୋଲିୟମ ମନ୍ତ୍ରୀଙ୍କ ସ୍ଥିର ଦର ଥିଓରୀ ? ଅଶୋଧିତ ତୈଳଦର ସ୍ଥିର ରହିଲେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବ । ଏବେ ଦୁଇ ସପ୍ତାହ ଉପରେ ହେଲାଣି ଅଶୋଧିତ ତୈଳ ଦର ୬୦ରୁ ୭୦ ଡଲାର ଭିତରେ ରହୁଛି । ହେଲେ ସାଧାରଣ ଗ୍ରାହକଙ୍କୁ ୧୦୧ ଟଙ୍କାରେ ପେଟ୍ରୋଲ ବିକି ଶୋଷି ଚାଲିଛନ୍ତି ରାଷ୍ଟ୍ରାୟତ୍ତ କମ୍ପାନୀ । ଏବେ ରିଲାଏନ୍ସସ ଜିଓ ଟାଙ୍କିରେ ଡିଜେଲ ଲିଟର ପିଛା ୩ ଟଙ୍କା ରିହାତି ଅଫର ଚାଲିଲାଣି । ଖୁଚୁରା ଗ୍ରାହକ ସିନା ପାଖରେ ଜିଓ ଟାଙ୍କି ପାଉନାହାନ୍ତି । କିନ୍ତୁ ବଡ଼ ଠିକାଦର ହୁଅନ୍ତୁ କି କମ୍ପାନୀ ଯାହାର ମୋଟ ପରିମାଣରେ ଡିଜେଲ ଆବଶ୍ୟକ ରିହାତି ଦରରେ ଘରୋଇ କମ୍ପାନୀଙ୍କଠୁ ଡିଜେଲ କିଣୁଛନ୍ତି ।

ଉତ୍ପାଦ ଶୁଳ୍କ ବଢାଇ କେନ୍ଦ୍ର ଲକ୍ଷାଧିକ କୋଟି ଲାଭ କଲାଣି । ଖୁଚୁରା ବେପାର ମାନ୍ଦା ଧରିଲାଣି । ୨୦୨୨ରୁ ବନ୍ଦ ଥିବା ଡାଇନାମିକ ପ୍ରାଇସ ମେକାନିଜିମ କାହିଁକି ପୁଣି ଥରେ ଚାଲୁ ହେଉନି ? କ’ଣ ପାଇଁ ଚୁପ କେନ୍ଦ୍ର ସରକାର ଓ ତୈଳ କମ୍ପାନୀ ? କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଆଗରେ ଲୋକଙ୍କ ସ୍ବାର୍ଥ ବଡ଼ ନୁହେଁ । ଖାଲି ଆମଦାନୀ ଚିନ୍ତା ? ଏ ନେଇ ପ୍ରଶ୍ନ ଉଠାଇଛି ଖୋଦ ପେଟ୍ରୋଲିୟମ ଡିଲର ଆସୋସିଏସନ୍ । ସେପଟେ ଭାରତୀୟ ତୈଳ କ୍ଷେତ୍ରରୁ ସିଏନଜି ଗ୍ୟାସ କମ୍ ବାହାରୁଥିବାରୁ ଚାହିଦା ପୂରଣ ପାଇଁ ବିଦେଶରୁ ଆମଦାନୀ କରିବାକୁ ପଡ଼ିବ । ଏଥିପାଇଁ କିଲୋ ପ୍ରତି ୨ରୁ ୪ ଟଙ୍କା ବଢିବା ସମ୍ଭାବନା ଦେଖାଦେଇଛି ।

ପେଟ୍ରୋଲର ବେସ୍ ପ୍ରାଇସ ୫୨ ଟଙ୍କା ୮୪ ପଇସା ଓ ଡିଜେଲର ବେସ୍ ପ୍ରାଇସ୍ ୫୩ ଟଙ୍କା ୭୬ ପଇସା । କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାରଙ୍କ ଭାଟ ଟିକସ ମିଶି ଶତ ପ୍ରତିଶତ ଟିକସ ଯୋଗୁଁ ଭାରତରେ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି । କେନ୍ଦ୍ର ଓ ରାଜ୍ୟ ବର୍ଷକୁ ସାଢ଼େ ୭ ଲକ୍ଷ କୋଟି ଟଙ୍କା ଟିକସ ନେଉଛନ୍ତି । ଏହା ବ୍ୟତୀତ ତୈଳ ବିପଣନ କମ୍ପାନୀ ବାର୍ଷିକ ଦେଢ଼ ଲକ୍ଷ କୋଟି ଲାଭ କରୁଛନ୍ତି । ଯେଉଁଠି ସମାନ ଦରରେ ଘରୋଇ କମ୍ପାନୀ କିଣି ରିଫାଇନିଂ କରି ଗ୍ରାହକଙ୍କୁ ରିହାତି ଦେଇପାରୁଛନ୍ତି ସେଠି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ଲୋକଙ୍କୁ ଦେଇପାରିବେନି ? କିନ୍ତୁ ସାଧାରଣ ଲୋକ ଆଦୌ ବି ପ୍ରତିକ୍ରିୟାଶୀଳ ହେଉ ନଥିବାରୁ  ସରକାର ଓ କମ୍ପାନୀଙ୍କୁ ଚଢା ଦର ନେବାକୁ ସୁବିଧା ମିଳୁଥିବା କହିଛନ୍ତି ଆର୍ଥନୀତି ବିଶେଷଜ୍ଞ ରାଜ ନାରାୟଣ ତ୍ରିପାଠୀ ।

ଅଶୋଧିତ ତୈଳ ଦର ଆହୁରି କମିବ । କେବେ ବି ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ସ୍ଥିର ରହିବନି । ଏହାର ଅର୍ଥ କେନ୍ଦ୍ର ସରକାରଙ୍କ ଭାଷାରେ ଖୁଚୁରା ଦର କେବେ ବି କମିବନି । ତୈଳ ଦର କମିବନି ଅର୍ଥ ମହଙ୍ଗା ବଜାରରୁ ଲୋକଙ୍କୁ ମୁକ୍ତି ମିଳିବନି ।