ଓଡ଼ିଶାର ହକ୍ ପାଇଁ ଲଢ଼େଇ କରିବାକୁ ନବୀନଙ୍କ ଆହ୍ଵାନ ପରେ ଫୁଲ୍ ଜୋସରେ ବିଜେଡି

ଭୁବନେଶ୍ବର: ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ଵାନ ଦେଇଛନ୍ତି ନବୀନ ପଟ୍ଟନାୟକ । ନବମ ଥର ବିଜୁ ଜନତା ଦଳର ସଭାପତି ହେବା ପରେ ସେ ଏହି ଆହ୍ଵାନ ଦେଇଛନ୍ତି । ତାଙ୍କର ଏହି ଆହ୍ଵାନ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଭରି ଦେଇଛି ନୂତନ ଉତ୍ସାହ ଓ ବିଶ୍ଵାସ । ସେମାନେ ଏବେ ଫୁଲ୍ ଜୋସରେ । ସଂଗଠନକୁ ଆଗେଇ ନେବା ସହିତ ବିଜେପି ସରକାରର ମିଥ୍ୟା ପ୍ରଚାରକୁ ପ୍ରତିହତ କରିବାକୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଲେଣି ବିଜେଡି ନେତା । ଘର ଘର ବୁଲି ନବୀନଙ୍କ ସେବାର ବାର୍ତ୍ତା ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଲେଣି ।

ବିଜେପିର ମିଥ୍ୟା ପ୍ରଚାର ବିରୋଧରେ ଲଢ଼େଇ କରିବାକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଆହ୍ଵାନ । ଏହାପରେ ଫୁଲ୍ ଜୋସରେ ଦଳର ସମସ୍ତ ନେତା ଓ କର୍ମୀ । ଓଡ଼ିଶାର ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ କାମ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ପୂର୍ବରୁ ବିଜେଡି ବିରୋଧରେ ବିଜେପି ଯେପରି ମିଛ କହୁଥିଲା, ଆଜି ବି ତାହା ଜାରି ରହିଛି । ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଏହାକୁ କାଉଣ୍ଟର କରିବା ପାଇଁ ମାର୍ଗଦର୍ଶନ ଦେଇଛନ୍ତି ନବୀନ । ବିଜେପି ସରକାରର ମିଥ୍ୟା ପ୍ରତିଶୃତିର ତାଲିକା ବେଶ୍ ଲମ୍ବା । ୩୦୦ ୟୁନିଟ ମାଗଣା ବିଜୁଳି ହେଉ କି ସୁଭଦ୍ରା ପ୍ରହେଳିକା, ଧାନ କଟନୀ ଛଟନୀ ହେଉ କି ଏମଏସପି ବୃଦ୍ଧି ନ କରିବା ପରି ପ୍ରସଙ୍ଗ,  ଅବା ବିପର୍ଯ୍ୟସ୍ତ ଆଇନ ଶୃଂଖଳା ପରିସ୍ଥିତି, ଭତ୍ତା ବୃଦ୍ଧିରେ ଟାଳଟୁଳ ନୀତି, ଏପରି ଅନେକ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଇବେ ବିଜେଡି ନେତା । ଓଡ଼ିଶାର ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ଲଢେଇ ଜାରି ରଖିବ ବିଜୁ ଜନତା ଦଳ ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ରାଜ୍ୟ ସ୍ଵାର୍ଥ ପାଇଁ ଲଢେଇ କରି ଆସୁଛି । ୟୁପିଏ ହେଉ ବା ଏନଡିଏ, ଓଡ଼ିଶା ସବୁ ସମୟରେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସୁଛି । ଏହା ବିରୋଧରେ ବିଜେଡି ସବୁବେଳେ ପ୍ରତିବାଦ କରିଛି । ପୋଲାଭରମ ଓ ମହାନଦୀରେ ଓଡ଼ିଶାକୁ ଏନଡିଏ କନ୍ଦାଇ ଚାଲିଛି । ହେଲେ ବିଜେପି ସରକାର ପାଟି ଫିଟାଉନି । ଏକ ଦାୟିତ୍ଵବାନ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ଜାଗ୍ରତ ପ୍ରହରୀ ହେବାକୁ ନବୀନଙ୍କ ନିର୍ଦ୍ଦେଶ ପରେ ଲଢେଇ କରିବାକୁ ଦଳୀୟ ନେତା ଆଗେଇ ଆସିଛନ୍ତି ।

ରାଜ୍ୟର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କ’ଣ ଦରକାର, ଏହାର ଉତ୍ତର ବିଜେପି ପାଖରେ ନାହିଁ । କେବଳ ପୂର୍ବ ସରକାରକୁ ଦାୟୀ କରିବା ଓ ବରପୁତ୍ରମାନଙ୍କୁ ଅପମାନ ଛଡ଼ା ଆଉ କିଛି କରୁନାହିଁ ରାଜ୍ୟର ବିଜେପି ସରକାର । ଏଥିରୁ ନିବୃତ ରହି ରାଜ୍ୟର ବିକାଶ ପାଇଁ କାମ କରିବାକୁ ସରକାରଙ୍କୁ ଅନେକ ସମୟରେ ପରାମର୍ଶ ବି ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।