ଜଣେ ମାଲିକଙ୍କ ଅହଂକାର ଯାତ୍ରା ବିବାଦକୁ ଚରମ ସ୍ତରରେ ପହଞ୍ଚାଇଛି, ଚଳିବନି ହିଟଲର ଶାସନ: ବାପି ପଣ୍ଡା
1 min read
ଭୁବନେଶ୍ବର: ଯାତ୍ରା ଜଗତରେ ଚାଲିଛି ଯାତ୍ରା । ନା ଅଛି ମୁହଁରେ ମେକଅପ୍ ନା ଅଛି ପେଣ୍ଡାଲ । ମଞ୍ଚ ଛାଡି ନାଚୁଛନ୍ତି କଳାକାର । ଆଉ ଏଥର କେବଳ କଳାକାର ନାଚୁ ନାହାନ୍ତି, ଯାତ୍ରା ପାର୍ଟିର ମାଲିକ ବି ଏହି ନାଟରେ ସାମିଲ ହୋଇଛନ୍ତି । କଳାକାରଙ୍କ ଉପରୁ ବ୍ୟାନ ହଟିବ ନାହିଁ ବୋଲି ମାଲିକ ସଂଘ ସ୍ପଷ୍ଟ କରିବା ସହ ଦରକାର ପଡ଼ିଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଛି । ଏପରିକି ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । ସେପଟେ, ଯାତ୍ରା ମାଲିକଙ୍କ ଆଚରଣ ଓ ଉଚ୍ଚାରଣକୁ ବାପି ପଣ୍ଡା ହିଟଲର ଶାସନ କହିଛନ୍ତି ।
ସେ କହିଛନ୍ତି, ଯାତ୍ରାରେ ହିଟଲର ଶାସନ ଚାଲିବନି । ଜଣେ ମାଲିକଙ୍କ ଅହଂକାର ପାଇଁ ବର୍ତ୍ତମାନ ଏ ବିବାଦ ଚରମ ସ୍ତରରେ ପହଁଚିଛି । ବର୍ତ୍ତମାନ କଳାକାରମାନେ ମଞ୍ଚ ଛାଡି ଟିଭି ଓ ମୋବାଇଲରେ ଯାତ୍ରା କରୁଛନ୍ତି । ଏହାଦ୍ବାରା ଯାତ୍ରାଜଗତ ବଦନାମ ହେଉଛି । ଏ ସମସ୍ୟାର ସମାଧାନ ହୋଇପାରିବ । କଳାକାର ସଂଘ ନମ୍ରତାର ସହ ଆଲୋଚନା ପାଇଁ ନିବେଦନ କରୁଛି ଓ ମାଲିକ-କଳାକାର-କମିଟି-ପରିଚାଳକଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଆହ୍ବାନ ଦେଉଛି ବୋଲି କହିଛନ୍ତି କଳାକାର ମହାସଂଘର ମୁଖ୍ୟ ଉପଦେଷ୍ଟା ବାପି ପଣ୍ଡା ।
ସେ ଆଗକୁ କହିଛନ୍ତି, ଜଣେ ଦୁଇ ଜଣ ମାଲିକ ଯାହାଙ୍କ ପାଇଁ ଏ ବିବାଦ ପଦାକୁ ଆସିଛି ସେ ଅହଂଭାବ ଛାଡି ନମ୍ରତାର ସହ ଆଲୋଚନା ଟେବୁଲକୁ ଆସିଲେ ବିବାଦର ସମାଧାନ ହୋଇପାରିବ । କଳାକାର ମହାସଂଘ କଳାକାରଙ୍କ ବକେୟା ପାଉଣା ଓ କର୍ମଚାରୀଙ୍କ ଦରମା ନେଇ ସ୍ବର ଉଠାଉଛି । ତେଣୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ତା’ର ପ୍ରତିବାଦ କରାଯିବ । ନରୀ ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ ହଟାଇବାକୁ ମଧ୍ୟ ଦାବି କରାଯାଉଛି । କାରଣ ଏହାଦ୍ବାରା କଳାକାରଙ୍କ ସମ୍ମାନହାନୀ ହେଉଛି । ଜଲିଉଡରେ ଚାଲିଥିବା ଏହି ବିବାଦ ପାଇଁ ଦର୍ଶକ ଓ ଆୟୋଜକମାନେ ମଧ୍ୟ ଆତଙ୍କରେ ଅଛନ୍ତି । ଏହାର ସମାଧାନ କେବଳ ମାଲିକ, କଳାକାର, ପରିଚାଳକ ଓ ଆୟୋଜକଙ୍କ ମଧ୍ୟରେ ଏକାଠି ବସି ଆଲୋଚନା ଦ୍ବାରା ହିଁ ହୋଇପାରିବ ବୋଲି ସେ କହିଛନ୍ତି ।