ବନ୍ଧାହେଲେ କୁବେର ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବନ୍ଧାହେଲେ କୁବେର ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅନୁଗୁଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧୯୮୯ ମସିହାରୁ ମାଲକାନଗିରିରେ କନିଷ୍ଠ ଯନ୍ତ୍ରୀଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ରାମଚନ୍ଦ୍ର । ଆୟର ୨୨୬ ପ୍ରତିଶତ ଅଧିକ ସମ୍ପତି ଥିବା ନେଇ ଭିଜିଲାନ୍ସ ସ୍ପଷ୍ଟ କରିଛି । ଟିମ ପକ୍ଷରୁ ଚଢ଼ାଉ ସମୟରେ ଗୋଟିଏ ଦୁଇ ମହଲା କୋଠା, ୨୨ ପ୍ଲଟ, ୩୫୦ ଗ୍ରାମ ସୁନା, ଜ୍ୱାଇଁଙ୍କ ଘରୁ ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା ଓ ଏକକୋଟି ୪୦ ଲକ୍ଷ ବ୍ୟାଙ୍କ ଡିପୋଜିଟ ଜବତ କରିଛି ଭିଜିଲାନ୍ସ । ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଅନୁଗୁଳ, କଟକ ଓ ଢେଙ୍କାନାଳରେ ଥିବା ୮ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ । ଏହି ଟିମରେ ୭ ଡିଏସପି ୧୫ ଇନିସପେକ୍ଟର ସାମିଲ ଥିଲେ । ଯାଞ୍ଚ ସମୟରେ ରାମଚନ୍ଦ୍ର ଶତପଥିଙ୍କ ଜ୍ବାଇଁ ଡା ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜୁନାଗଡ଼ରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ରହିଛନ୍ତି ଜ୍ୱାଇଁ । ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଜାରି ରହିଥିବା ହେତୁ ଜ୍ୱାଇଁଙ୍କୁ ମଧ୍ୟ ଅଧିକ ପଚରାଉଚରା କରାଯିବ । ଏଆବଶ୍ୟକ ପଡ଼ିଲେ ରାମଚନ୍ଦ୍ର ଶତପଥିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।