ପୁଣି ଚମକିଲା ନବୀନଙ୍କ ପ୍ଲାନ: ମିଛ ବାହାବା ନେଉଛି ବିଜେପି

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ନବୀନଙ୍କ ମହିଳା ସଶକ୍ତିକରଣକୁ ମିଳିଛି ସ୍ବୀକୃତି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡିଶା ପ୍ରଥମ ହେବା ନବୀନଙ୍କ ଅବଦାନ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ କହିଛନ୍ତି । ନବୀନଙ୍କ ଶାସନକାଳରେ ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ସଶକ୍ତ କରାଯାଇ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରର ବିକାଶ କରାଯାଇଛି । ନବୀନଙ୍କ ଯୋଗୁଁ ଆଜି ଓଡିଶାରେ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ବେଳେ ମିଛ ବାହାବା ନେଉଛି ବିଜେପି ସରକାର । ଅନ୍ୟପଟେ କଂଗ୍ରେସ କହିଛି ମାତ୍ର ୧୦ ମାସରେ କିପରି ୧୦ ହଜାର ଟଙ୍କାରେ ମୋହନ ସରକାର ଲକ୍ଷପତି ଦିଦି ସୃଷ୍ଟି କଲେ ତାହାର ତଥ୍ୟ ଦିଅନ୍ତୁ । ଯାହାର ଜବାବ ରଖିଛି ବିଜେପି।

ଲକ୍ଷପତି ଦିଦିରେ ଓଡିଶା ନମ୍ବର ଓ୍ବାନ । ନବୀନଙ୍କ ମିଶନ ଶକ୍ତି ସୃଷ୍ଟି କରିଛି ଲକ୍ଷପତି ଦିଦି । ପ୍ରମିଳା କହିଲେ, ବିଜେପି କେବଳ ନେଉଛି ବାହାବା । କଂଗ୍ରେସ କହିଲା, ମହିଳାଙ୍କୁ ଭୂଆଁ ବୁଲାଉଛି ବିଜେପି ସରକାର । ନିୟମର ପାଠ ପଢାଇଲା ବିଜେପି । ପୁଣି ଚମକିଛି ନବୀନଙ୍କ ମହିଳା ସଶକ୍ତିକରଣ ମଡେଲ । ନବୀନଙ୍କ ନେତୃତ୍ବରେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ ପୂର୍ବର ବିଜେଡି  ସରକାର । ଯାହାର ଫଳାଫଳ ଆଜି ଦେଶବାସୀଙ୍କ ସାମ୍ନାରେ । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଦ୍ବାରା ଓଡିଶାରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡିଶା ପ୍ରଥମ ହୋଇଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଲକ୍ଷପତି ଦିଦି ନବୀନ ବାବୁ ସୃଷ୍ଟି କରିଥିଲେ। ମହିଳାମାନଙ୍କୁ ଜୀବିକା ଦେଇ ସଶକ୍ତ କରିଥିଲେ ନବୀନ । ହେଲେ ବିଜେପି ଆସିବା ପରେ ମହିଳାମାନଙ୍କୁ ମାତ୍ର ୧୦ ହଜାର  ଟଙ୍କା ଦେଇ କିପରି ଲକ୍ଷପତି ଦିଦି କଲେ ବୋଲି ପଚାରିଛନ୍ତି ପ୍ରମିଳା । ତାହାର ଉତ୍ତର ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି । ଲକ୍ଷପତି ଦିଦିରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବାର ଶ୍ରେୟ କେବଳ ନବୀନ ପଟ୍ଟନାୟକଙ୍କର ବୋଲି ବିଜେଡି ଯୁକ୍ତି ବାଢିଛି ।

ସେପଟେ ଲକ୍ଷପତି ଦିଦି ବିଜେପି ସରକାର ସୃଷ୍ଟି କରିନାହିଁ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ବିଜେପି ଓଡିଶାରେ ମହିଳାମାନଙ୍କୁ କେବଳ ଭୁଆଁ ବୁଲାଇଛି ଓ ପ୍ରତାରଣା କରିଛି । ସୁଭଦ୍ରା ଯୋଜନାରେ ଦୁଇ ବର୍ଷକୁ ୫୦ ହଜାର ଟଙ୍କା କହି ୫ ବର୍ଷରେ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଛି । ଏଯାଏ ରାଜ୍ୟର ସବୁ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇନାହାନ୍ତି । ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ୧୦ ହଜାର ଟଙ୍କା ସହାୟତା ପାଇଛନ୍ତି। ତେଣୁ କେଉଁ ତଥ୍ୟରେ ବିଜେପି ଲକ୍ଷପତି ଦିଦି ସୃଷ୍ଟି କରିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ ସ୍ବୀକାର କରିଛି ଯେ, ପୂର୍ବ ସରକାର ଯୋଗୁ ଓଡିଶାରେ ମହିଳାମାନେ ସଶକ୍ତ ହୋଇଛନ୍ତି । ଅନ୍ୟପଟେ ବିଭିନ୍ନ ନିୟମାବଳୀରେ ଏହି ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ବୋଲି ଜବାବ ରଖିଛନ୍ତି  ସରକାରୀ ଦଳ ମୁଖ୍ୟ ସଚେତକ ।

ନବୀନଙ୍କ ୨୪ ବର୍ଷ ଶାସନ ସମୟରେ ମହିଳାମାନଙ୍କୁ ସଶକ୍ତ କରାଯିବ ସହ ସେମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରିଥିଲେ । ବିଜେପି କେବଳ ମିଥ୍ୟା ବାହାସ୍ଫୋଟ ମାରି ଲକ୍ଷପତି ଦିଦିର ଶ୍ରେୟ ନେବାକୁ ଆଗଭର ହୋଇଛି । ଯାହାକୁ ନେଇ ମୋହନ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ।