spot_img

Latest Posts

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ

ନନ୍ଦିଘୋଷ ବ୍ୟୁରୋ: ସୁଜଳା, ସୁଫଳା, ସ୍ବର୍ଣ୍ଣପ୍ରସୂ ଓଡ଼ିଶା। ମାଟିର ମୂର୍ତ୍ତିକାର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନର ରାଇଜ। ବୀର ପ୍ରସବିନୀ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଜୁବାବୁ। ଯେଉଁଠି କଳା, ସଂସ୍କୃତିର ଗରିମା ସେଠାରେ ବିଜୁଙ୍କ ପରି ଦୁର୍ଦ୍ଧର୍ଷ ସଂଗ୍ରାମୀଙ୍କ ଝଲକ। ପୂର୍ବ ଗୌରବ ଫେରାଇ ଆଣିବା ଲାଗି ସାରା ଜୀବନ ତ୍ୟାଗ କରିଥିବା ମହାନ ନେତା ବିଜୁବାବୁଙ୍କ ଆଜି ତିରୋଧାନ ଦିବସ। ସେ ଏପରି ଏକ ବ୍ୟକ୍ତିତ୍ବ ଯାହା ଭିତରେ ଥିଲା ନୂଆ ସମ୍ଭାବନା। ସେ ଏପରି ଏକ ପୁରୁଷ ଯାହା ନିକଟରେ ଭରି ରହିଥିଲା କୋଟି କୋଟି ଯୁବକଙ୍କୁ ଜାତୀୟ ସ୍ରୋତରେ ପ୍ରବାହିତ କରିବାର ପ୍ରେରଣା।

ସେ ଥିଲେ ନୂଆ ଓଡ଼ିଶାର ବିନ୍ଧାଣୀ। ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜଳସେଚନ, ଜିଲ୍ଲା ଗଠନ ଆଦି ସବୁକ୍ଷେତ୍ରରେ ଥିଲା ବିଜୁବାବୁଙ୍କ ଅନନ୍ୟ ଅବଦାନ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅଗ୍ରଗଣ୍ୟ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେ ପ୍ରତିଷ୍ଠା କରିଥିଲେ ରେକର୍ଡ। ବିଜୁଙ୍କୁ ବିବ୍ରତ କରିଥିଲା ଓଡ଼ିଶାରେ ଭୋକର ଭୂଗୋଳ । ଏଥିଲାଗି ରାଜ୍ୟରୁ ଦାରିଦ୍ର୍ୟ ହଟାଇବାରେ ସେ ନେଇଥିଲେ ପ୍ରମୁଖ ଭୂମିକା। କଳିଙ୍ଗପୁତ୍ର ଭାବେ ନିଜକୁ ଗର୍ବିତ ଅନୁଭବ କରୁଥିଲେ ବିଜୁ ବାବୁ। ସମ୍ବୃଦ୍ଧ ଓଡ଼ିଶା ଗଠନକୁ ନେଇ ସେ ଥିଲେ ପ୍ରତିଜ୍ଞାବଦ୍ଧ । ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ବଦଳାଇଥିଲେ ଓଡ଼ିଶାର ଭାଗ୍। ଓଡ଼ିଶାରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବା ସହ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ବିଜୁଙ୍କ ଦୂର ଦୃଷ୍ଟିର ପ୍ରତୀକ। ୫ ମାର୍ଚ୍ଚ ୧୯୧୬ରେ ଭୂମିଷ୍ଠ ଝଡ଼ର ଇଗଲଙ୍କ ମହାପ୍ରୟାଣ ଘଟିଥିଲା ୧୭ ଏପ୍ରିଲ ୧୯୯୭ରେ ।

 

Latest Posts

Don't Miss