ଆଉ ପାଦେ ଆଗେଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ନନ୍ଦିଘୋଷ ବ୍ୟୁରୋ : ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଉ ପାଦେ ଆଗେଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ଓ ରେଜିଷ୍ଟ୍ରାରମାନଙ୍କ ବୈଠକ ଡାକିଛନ୍ତି ଷ୍ଟାଲିନ । ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣବତ୍ତା ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂକ୍ରାନ୍ତ ଯେଉଁ ବିଲ ପୁନର୍ବାର ଗୃହୀତ ହୋଇଥିବ ଏବଂ ତାହା ରାଷ୍ଟ୍ରପତିଙ୍କ ନିକଟରେ ପଡ଼ି ରହିଥିବା ସେହି ବିଲଗୁଡିକ ଅନୁମୋଦିତ ହୋଇଛି ବୋଲି ଧରିନିଆଯିବ ବୋଲି ଗତ ସପ୍ତାହରେ ଐତିହାସିକ ରାୟରେ କହିଥିଲେ ସୁପ୍ରିମକୋର୍ଟ ।

ବିଶ୍ବବିଦ୍ୟାଳୟ ସମ୍ପର୍କିତ ୧୦ଟି ବିଲକୁ ବିନା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଆଇନରେ ପରିଣତ କରିଥିଲେ । ବୈଠକର ନିଷ୍କର୍ଷ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଲାଗି ଅନୁଦାନ ପ୍ରସଙ୍ଗରେ ଆସନ୍ତା ଏପ୍ରିଲ ୨୪ରେ ବିଧାନସଭାରେ ଆଲୋଚନା ହେବ । ସେପଟେ ରାଜ୍ୟପାଳ ଆର.ଏନ. ରବିଙ୍କ ଦ୍ବାରା ନିଯୁକ୍ତ କୁଳପତିମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନିବେ ବୋଲି ସୂଚନା ମିଳିଛି ।