ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ବିଜେପିର ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ଵର : ପୁଣି ରାଜନୀତି ପଶାପାଲିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ । ଘେରିଲେ ବିଜେଡି ଓ କଂଗ୍ରେସ । ମାଆଙ୍କୁ କିଏ କରିଛି ସଶକ୍ତ ? ଆରମ୍ଭ ହେଲା ବାକଯୁଦ୍ଧ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କଥାରେ ଭରସା କରିବେ ତ ରାଜ୍ୟର ମହିଳାମାନେ । ରାଜନୈତିକ ଉଦ୍ଦେଶ୍ୟ ରଖି ମିଶନ ଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ୍ଵ ଦୂର କରିପାରିବ କି ସୋସିଆଲ ମିଡିଆ ପୋଷ୍ଟ ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୭୦ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ସଶକ୍ତ ହୋଇଥିଲେ । ମହିଳାମାନଙ୍କୁ ୫ ହଜାରରୁ ୧୫ ଲକ୍ଷ ଯାଏ ବିଭିନ୍ନ ଯୋଜନାରେ ନବୀନ ସହାୟକ ହୋଇ ସେମାନଙ୍କୁ ସ୍ବାବଲମ୍ବୀ କରିଥିଲେ । ଯାହା ବିଜେପି ସରକାର ଆସିବା ପରେ ବିଭିନ୍ନ ବାହାନା ଦେଖାଇ ମିଶନ ଶକ୍ତିକୁ ଶକ୍ତିହୀନ କରାଯାଇଛି । ସୁଭଦ୍ରା ଯୋଜନାରେ ମାତ୍ର ୫ ହଜାର ଟଙ୍କା ଦେଇ କିପରି ଲକ୍ଷପତି ଦିଦି କଲେ ତାହାର ହିସାବ ମାଗିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ମହିଳାମାନଙ୍କୁ ଘରର ଚାରି କାନ୍ଥରୁ ବାହାରକରି ନବୀନ ସ୍ବାବଲମ୍ବୀ କରିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିଥିଲେ । ଏଥିରେ ବିଜେଡି, କଂଗ୍ରେସ, ବିଜେପି ସବୁ ଦଳର ମହିଳା ସାମିଲ ହୋଇଥିଲେ । ହେଲେ ଶାସନ ବଦଳିବା ପରେ ବିଜେପି ସରକାର ସ୍ବୟଂ ସହାୟକ ଗୋଷ୍ଠୀକୁ ଦଳୀୟ ଭିତ୍ତିରେ ବିଚାର କରୁଛି । ଏଥିରେ ମହିଳା କିପରି ସ୍ବାବଲମ୍ବୀ ହେବେ ବୋଲି ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି । ତେଣୁ ଯେତେ ପୋଷ୍ଟ କଲେ ବି ମହିଳାମାନେ ବିଜେପି ସରକାରର ନେତୃତ୍ବକୁ ବିଶ୍ଵାସ କରିବେ ନାହିଁ ବୋଲି ବିଜେଡି କହିଛି ।
ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ନବୀନ ପଟ୍ଟନାୟକ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ଶକ୍ତିଶାଳୀ କରିଥଲେ । ହେଲେ ବିଜେପି ୨୮ ଟଙ୍କାରେ କିପରି ଉଦ୍ଯୋଗୀ କରିବ ବୋଲି ସୁର ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସଶକ୍ତ କରାଯିବ । ଯାହାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ମିଶନ ଶକ୍ତି ପୁନର୍ଗଠନକୁ ନେଇ ସୃଷ୍ଟି ହୋଇଥିବା ଅବିଶ୍ବାସ ବାତାବରଣ ଦୂର କରିବାକୁ ସରକାର ଯେତେ ଚେଷ୍ଠା କଲେ ମଧ୍ୟ ସେଥିରେ ସଫଳ ହେଉନାହାନ୍ତି । ଯାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ପୋଷ୍ଟରୁ ସ୍ପଷ୍ଟ ସଙ୍କେତ ମିଳୁଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।