ଶ୍ରୀକ୍ଷେତ୍ର ସାହିଯାତରେ ରାମ-ରାବଣ ଯୁଦ୍ଧ

1 min read

ପୁରୀ : ଶ୍ରୀକ୍ଷେତ୍ର ସାହିଯାତରେ ରାମ-ରାବଣ ଯୁଦ୍ଧ । ବୀରବାଦ୍ୟରେ କମ୍ପିଲା ପୁରୀର ସାହିଦାଣ୍ଡ । ବାଲିସାହି ପକ୍ଷରୁ ବାହାରି ଥିଲା ଯୁଦ୍ଧ ରାବଣ । ସାହି ପରିକ୍ରମା କରିବା ପରେ ହରଚଣ୍ଡୀ ସାହିରେ ମଧ୍ୟ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲା । ପରେ ଗୌଡ଼ବାଡ଼ ସାହି ଜମ୍ବେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ଯଜ୍ଞ କରିବା ପରେ ଶ୍ରୀମନ୍ଦିର ପାର୍ଶ୍ଵଗଡ଼ ଛକ ନିକଟ ଭଗବତୀ କୋଟରେ ପଣା ଗ୍ରହଣ କରି ସ୍ୱର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲା । ସେପଟେ ଶ୍ରୀରାମ ଓ ଲକ୍ଷ୍ମଣ ଶ୍ରୀମନ୍ଦିରରୁ ଜଗନ୍ନାଥ ବଲ୍ଲଭକୁ ବିଜେ କରିବା ପରେ ପରମ୍ପରା ଅନୁସାରେ ମଠ ପରିସରରେ ରାମ ଓ ଲକ୍ଷଣଙ୍କ ସହ ଯୁଦ୍ଧ କରି ନିହତ ହୋଇଛି ଦଶଶିର । ଏହାସହ ରାମାୟଣ କାହାଣୀକୁ ନେଇ ରାମ ନବମୀ ଠାରୁ ପୁରୀରେ ଚାଲିଥିବା ସାହିଯାତର ଗୋଟିଏ ଅଧ୍ଯାୟ ଶେଷ ହୋଇଛି ।

ବାଲିସାହିର ଭୁଆସିକଙ୍କ ପାରମ୍ପରିକ ନୃତ୍ୟ ଓ ସମରକଳା ଦେଖଣାହାରୀଙ୍କୁ ରାତି ପାହିବା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ବଚନିକା ସହ କୁହାଟରେ ରାବଣଙ୍କ ଅଭିନୟ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ । ରାବଣ ପଛେ ପଛେ ଦୁର୍ଗାମେଢ଼, କାଳୀ ମେଢ଼, ନବଶିରା, ସପ୍ତଶିରା, ନାଗା ମେଢ଼ ପ୍ରଦର୍ଶିତ ହୋଇଥିଲା । ୨୨ ରେ ଗୌଡ଼ବାଡ଼ ସାହି ପକ୍ଷରୁ ସାହିଜାତର ଅନ୍ତିମ ଅଧ୍ଯାୟ ରାମାଭିଷେକ ନୀତିକୁ ପତିଆର ହନୁମାନଙ୍କ ଦ୍ୱାରା ପାଳନ କରାଯିବ ।