ଝାମୁଯାତ୍ରାରେ ସମାପନ ହେଲା ମାଆଙ୍କ ଚଇତି ଯାତ୍ରା

କୋଣାର୍କ : ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଛି ମନ୍ଦିର । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ । ଧୂପ, ଦୀପ, ନୈବେଦ୍ୟ ଦେଇ ଜଗତଜନନୀଙ୍କୁ ଆରଧନା କରୁଛନ୍ତି ଶ୍ରଦ୍ଧାଳୁ । ମାଆଙ୍କ ପୀଠରେ ଆରମ୍ଭ ହୋଇଥିବା ଚୈତ୍ର ଯାତ୍ରାର ଆଜି ହେଉଛି ଶେଷ ପର୍ବ । ଆଜିର ଦିନରେ ମାଆଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଭୋର ୫ ଟାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ମାଆଙ୍କୁ ରାଜା ରାଜେଶ୍ଵରୀ ବେଶରେ ଦର୍ଶନ କରି କୃତାର୍ଥ ମଣିଛନ୍ତି ଭକ୍ତ ।

ମଧ୍ୟାହ୍ନ ସମୟରେ ଜଗତସିଂହପୁର ମା ଶାରଳାଙ୍କ ପୀଠରୁ ଆସିଥିବା ମାଳୀ ସମ୍ପ୍ରଦାୟର ପାଟୁଆ ମାନେ ପାରମ୍ପାରିକ ଢୋଲ ମହୁରୀ ବାଦ୍ୟର ରୋଷଣୀରେ ମାଙ୍କ ଠାରୁ ଆଜ୍ଞାମାଳ ନେଇଥିଲେ । ପୂର୍ଣ୍ଣତୋୟା ପ୍ରାଚୀ ନଦୀ ଘାଟରୁ ପାଣି ତୋଳିବା ପରେ ମନ୍ଦିର ସମ୍ମୁଖରେ ନିର୍ମିତ ୧୨ ଫୁଟ ଲମ୍ବର ଏକ ନିଆଁ ଗର୍ତ୍ତରେ ଚାଲିଥିଲେ । ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଶରୀରକୁ କଷ୍ଟ ଦେଇ ନିଆଁରେ ଚାଲିଥିଲେ । ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ରାଜ୍ୟର ଅନ୍ୟ ଶକ୍ତି ପୀଠ ମାନଙ୍କରେ ପଣା ସଙ୍କ୍ରାନ୍ତିରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା ମଙ୍ଗଳାଙ୍କ ପୀଠରେ ପଞ୍ଚମ ପାଳିଯାତ୍ରାରେ “ଝାମୁଯାତ୍ରା” ଅନୁଷ୍ଠିତ ହୋଇଥାଏ ।