୪୬ ବର୍ଷ ପରେ ବି ଛାତି ଥରାଉଛି ୧୯୭୮ ଘୂର୍ଣ୍ଣିବାତ୍ୟା

ଆନନ୍ଦପୁର : ୧୬ ଏପ୍ରିଲ ୧୯୭୮ । ସମୟ ପାଖାପାଖି ୪ଟା । ସବୁଦିନ ଭଳି ଥିଲା ସେଦିନ । ହେଲେ ହଠାତ ଘୋଟି ଆସିଲା କଳା ଅନ୍ଧାର । କିଛି ବୁଝିବା ଆଗରୁ ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା ନିମିଷକ ମଧ୍ୟରେ ସବୁକିଛି ଉଜାଡିଦେଲା । ମାଟିରେ ମିଶିଗଲା ୧୨୦ଟି ଘର । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା । ଆଜିବି ସେହି ଦିନ କଥା ଭାବିଲେ ଥରି ଉଠୁଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁର ପ୍ରତ୍ୟେକ୍ଷଦର୍ଶୀ ।

କେବଳ ପୁରୁଣାବାନ୍ଧଗୋଡା ଗାଁ ନୁହେଁ । ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁର  କ୍ଷତି ଘଟାଇଥିଲା । ଘଟଣାପରେ ଦେଶବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୁହ ଦାହସଂସ୍କାର କରାଗଲା  । ସେହି ସ୍ଥାନରେ ସ୍ଥାପିତ ହେଲା ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବାସନୀୟ ଘୂର୍ଣ୍ଣିବାତ୍ୟାକୁ ଆସନ୍ତାକାଲି ପୂରିବାକୁ ଯାଉଛି ୪୭ବର୍ଷ । ଏତେବଡ ଦୁର୍ଘଟଣା ପରେ ପୁରୁଣାବାନ୍ଧଗୋଡା ଗାଁ ରେ ଅନେକ ପରିବର୍ତ୍ତନ ଆସିଛି । ହେଲେ ଏପ୍ରିଲ ମାସ ୧୬ ତାରିଖ ଆସିଲେ ଏବେବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ପ୍ରତ୍ୟକ୍ଷଦର୍ଶୀ ।