୧୩ ହଜାର କୋଟି ଠକେଇ ମାମଲାର ଅଭିଯୁକ୍ତ ଗିରଫ: ତହବୁର ରାଣା ପରେ ଏବେ ମେହୁଲ ଚୋକସୀ ଭାରତକୁ ପ୍ରତ୍ୟର୍ପଣ ହେବ କି?

1 min read

ନୂଆାଦିଲ୍ଲୀ: ଦିଲ୍ଲୀରୁ ପାଖାପାଖି ୬ ହଜାର କିମି ଦୂର ସ୍ଥିତ ବେଲଜିୟମରୁ ଗିରଫ ହୋଇଛି ପଳାତକ ମେହୁଲ ଚୋକସୀ । ପାଖାପାଖି ସାଢ଼େ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ଚୋକସୀକୁ ଦୀର୍ଘ ଦିନ ଧରି ଭାରତ ସରକାର ତଲାସ କରୁଥିଲେ । ୨୦୧୮ରୁ ଚୋକସୀ ଭାରତର ଯାଞ୍ଚ ଏଜେନ୍ସିକୁ ଚକମା ଦେଇ ଆସୁଥିଲା । ନିକଟରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ତେଣୁ ଏବେ ବେଲଜିୟମ ସରକାର ମଧ୍ୟ ଚୋକସୀକୁ ପ୍ରତ୍ୟର୍ପଣ କରିବେ କି ବୋଲି ପ୍ରଶ୍ନ ଉଠିଛି ।

ଚୋକସୀର ଗିରଫ ପରେ ଖୁବଶୀଘ୍ର ତାକୁ ମଧ୍ୟ ଭାରତକୁ ଅଣାଯିବ ବୋଲି ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧି କିପରି ରହିଛି ତାହା ଜାଣିବାର ଆବଶ୍ୟକତା ରହିଛି । ୨୦୨୩ ମାର୍ଚ୍ଚରେ ଇଣ୍ଟରପୋଲ ପକ୍ଷରୁ ଚୋକସୀ ବିରୋଧରେ ରେଡ କର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରିନିଆଯାଇଥିଲା । ତା’ପରେ ଭାରତର ଯାଞ୍ଚ ଏଜେନ୍ସି- ଇଡି ଓ ସିବିଆଇ ତାକୁ ବେଲଜିୟମରୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ପ୍ରୟାସ କରୁଥିଲେ । ୨୦୨୦ରେ ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧିରେ ମୋହର ବାଜିଥିଲା । ସନ୍ଧି ମୁତାବକ, ଯଦି ପ୍ରତ୍ୟର୍ପଣ ସମ୍ବନ୍ଧିତ କୌଣସି ଅପରାଧରେ ସାମିଲ ରହିଥିବା ଅଭିଯୁକ୍ତ ବା ଦୋଷୀ, କୌଣସି ଦେଶରେ ଗିରଫ ହୁଏ, ତେବେ ତା’ର ପ୍ରତ୍ୟର୍ପଣ ହେବ । ଦୁଇ ଦେଶର ପ୍ରତ୍ୟର୍ପଣ ସନ୍ଧି ହତ୍ୟା, ଦୁଷ୍କର୍ମ, ଠକାମୀ ପରି ଗମ୍ଭୀର ଅପରାଧର ଅଭିଯୁକ୍ତକୁ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥାଏ । କୌଣସି ଅପରାଧୀକୁ ଏକ ଦେଶ ପ୍ରତ୍ୟର୍ପଣ କରିବ କି ନା ତାହା ଉକ୍ତ ଦେଶର ବିବେକ  ଉପରେ ନିର୍ଭର କରେ । ଏଥିସହିତ ଉକ୍ତ ମାମଲା ବେଲଜିୟମରେ ଅପରାଧ କି ନା ତା’ ଉପରେ ମଧ୍ୟ ପ୍ରତ୍ୟର୍ପଣ ନିର୍ଭର କରିଥାଏ ।