କାଳିଆ ଦର୍ଶନ ପାଇଁ କଲବଲ ଭକ୍ତ, ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଲୋକେ

ପୁରୀ: କାଳିଆ ଦର୍ଶନ ପାଇଁ କଲବଲ ଭକ୍ତ । ପ୍ରବଳ ଖରା ସାଙ୍ଗକୁ ଲମ୍ବା ଲାଇନ୍ ଲାଗୁଛି । ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ। ଦିନକୁ ଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଦର୍ଶନ ସୁବିଧା ନଥିବାରୁ ଅଣନିଶ୍ବାସୀ ହେଉଛନ୍ତି ଶ୍ରଦ୍ଧାଳୁ । ୪ ଦ୍ବାର ଦେଇ ପ୍ରବେଶ ଅନୁମତି ମିଳିଛି, କିନ୍ତୁ ଭିତରେ ପ୍ରବଳ ଗହଳି ଯୋଗୁଁ ଲମ୍ବା ଧାଡ଼ିରେ ଠିଆହୋଇ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ। ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ତେଜୁଛି ଅସନ୍ତୋଷ। କେବଳ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ କରିଛନ୍ତି।

ପୂର୍ବ ସରକାର ସମୟରେ ଭକ୍ତଙ୍କ ଦର୍ଶନ ନେଇ ସ୍ୱତନ୍ତ୍ର ଏସି ସେଡର ବ୍ୟବସ୍ଥା ରହିଥିଲା। ଏହାଦ୍ବାରା ଖରା ସତ୍ତ୍ବେ ଶାନ୍ତିରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ। ଏପରିକି ସେଡ ଭିତରେ ପାଣି ଓ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା ରହିଥିଲା। ଏବେ ସେଡ ହଟିବା ପରେ ଖରାରେ ଆଉଟୁପାଉଟୁ ହେଉଛନ୍ତି ଶ୍ରଦ୍ଧାଳୁ। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ନେଇ ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ନାଟ ମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଥିବା ସତ୍ୱେ ସରକାର ପଦକ୍ଷେପ ନେଉ ନଥିବାରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ ।